କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ, ସରଗରମ ରାଜ୍ୟ ରାଜନୀତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରୀୟ ନେତାଙ୍କ ଫୋକସ୍ରେ ରହିଛି ଓଡିଶା । ସ୍ବଳ୍ପ ସମୟ ବ୍ୟବଧାନରେ ବିଜେପି ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତ ଯୋଗୁ ରାଜ୍ୟ ରାଜନୀତି ସରଗରମ ହୋଇଛି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଗତ ୧୬ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ଦୁଇଟି ଜିଲାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇଥିଲେ । ତେବେ ଆସନ୍ତା ୨୯ତାରିଖରେ ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଥିବାରୁ ଆସନ୍ତା ୨୩ରେ ମୋଦିଙ୍କର ପୁଣି ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଦିନ ୧୦ଟାରେ କେନ୍ଦ୍ରାପଡାଠାରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଉଦ୍ବୋଧନ ଦେବେ । ଏବଂ ପରେ ବାଲେଶ୍ୱରଠାରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।
ସେହିପରି ମୋଦିଙ୍କ ଗସ୍ତ ପୂର୍ବରୁ ଆଜି ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଓଡିଶାରେ ନିର୍ବାଚନୀ ପ୍ରଚାର କରିବେ । ମୟୂରଭଞ୍ଜ, ନୟାଗଡ ଏବଂ କଟକ ସଦରଠାରେ ବିଜେପି ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ରାଜନାଥ ଯୋଗଦେବେ ବୋଲି ଜଣାପଡିଛି । ସେହିପରି ଆସନ୍ତା ୨୦ରେ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ମୁଖ୍ତାର ଅବାସ ନକ୍ଭୀ ଓଡିଶାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ତେବେ ମୋଦିଙ୍କ ଗସ୍ତ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ମଧ୍ୟ ୪ର୍ଥ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିବେ ବୋଲି ଜଣାପଡିଛି ।