ଥଟାକୁ ମଧ୍ୟ କ୍ଷମା ଦିଆଯିବ ନାହିଁ, ନବୀନ ନିବାସରୁ ସାଂସଦ ଚନ୍ଦ୍ରଶେଖରଙ୍କୁ ଆସିଲା ଡାକରା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୌଣସି ପ୍ରକାର ଭୁଲକୁ କ୍ଷମା ଦିଆଯିବ ନାହିଁ । ଏହିପରି ଶକ୍ତ ମନୋଭାବ ପୋଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଜଣେ କର୍ମୀଙ୍କୁ ଚାପୁଡ଼ା ମାରିବା ଭିଡ଼ିଓ ଭାଇରଲ ହେବାପରେ ଆଜି ନବୀନ ନିବାସରୁ ସାଂସଦ ଚନ୍ଦ୍ରଶେଖରଙ୍କୁ ଆସିଛି ଡାକରା ।
ସୂଚନା ଅନୁଯାୟୀ, ମଙ୍ଗଳବାର ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିଲା ବିଜେଡିର ପରିବର୍ଦ୍ଧିତ କାର୍ୟ୍ୟକାରିଣୀ ବୈଠକ । ବୈଠକରେ ଦଳୀୟ ସାଙ୍ଗଠନିକ ସ୍ଥିତିରେ ସୁଧାର ଆଣିବାକୁ ଯାଇ ଲୋକଙ୍କ ନିକଟତର ହେବାକୁ ନେତାମାନେ କର୍ମୀଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ କିଛି କଂଗ୍ରେସ କର୍ମୀ ଓ ବିଜେପି କର୍ମୀ ବିଜେଡିରେ ଯୋଗଦାନ ଦେବାର କାର୍ଯ୍ୟକ୍ରମ ଚାଲିଥିଲା । ସମସ୍ତ ନୂତନ ସଦସ୍ୟକୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଉଥିଲା । ମାତ୍ର ଯେତେବେଳେ ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଂଗ୍ରାମ କିଶୋର ସାହୁଙ୍କୁ ସ୍ୱାଗତ କରିବା ସମୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ତାଙ୍କୁ ମାରିଥିବା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଗଜପତି ଜିଲ୍ଲାର ପ୍ରଭାରୀ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସଂଗ୍ରାମଙ୍କୁ ବିଜେଡି ଉତ୍ତରୀୟ ପ୍ରଦାନ କରିଥିଲେ । ତେବେ ସଂଗ୍ରାମ ଚାହୁଁଥିଲେ ସାଂସଦ ନିଜେ ତାଙ୍କୁ ଉତ୍ତରୀୟ ଦିଅନ୍ତୁ । ଏନେଇ ସେ ଉଦ୍ୟମ କରିବା ବେଳେ ସାଂସଦ ସଂଗ୍ରାମଙ୍କୁ ଚାପୁଡ଼ା ମାରିଥିଲେ ।
ଅପରପକ୍ଷରେ, ସଂଗ୍ରାମ କିଶୋର ସାହୁ ଏହା ଖଣ୍ଡନ କରିବା ସହ କହିଛନ୍ତି, ସାଂସଦ ଶ୍ରୀ ସାହୁ ମୋତେ ଚାପୁଡ଼ା ମାରି ନଥିଲେ, କେବଳ ଗାଲକୁ ଛୁଇଁ ଦେଇଥିଲେ । ସାଂସଦ ମୋର ବଡ଼ ଭାଇ ଭଳି । ଛାତ୍ର ଜୀବନରୁ ତାଙ୍କ ପ୍ରେରଣାରେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲି । ଏହା ଏକ ସାଧାରଣ ଘଟଣା ସାଂସଦଙ୍କ ଆଚରଣ ତାଙ୍କୁ କିଛି ଖରାପ ଲାଗି ନଥିବା ସେ କହିଛନ୍ତି ।