ଡୋଲି ଭିତରୁ ହାତଗୋଡ଼ ବନ୍ଧା ନବବଧୂ ଉଦ୍ଧାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ପାଞ୍ଚାୟତର ମଙ୍ଗରାଜପୁର ଗ୍ରାମରେ ଜଣେ ନବବଧୂକୁ ଏକ ବାଉଁଶ ଡୋଲି ଭିତରୁ ହାତଗୋଡ଼ ବନ୍ଧାଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ହେଲେ ସତ୍ୟନାରାୟଣ ଆରୁଖଙ୍କ ବୋହୁ ଝିଲି ପ୍ରଧାନ(୨୦)। ସତ୍ୟନାରାୟଣ ପୁଅ ଜିତେନ୍ଦ୍ର ବୁଗୁଡା ଥାନା ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମର ପଠାଣୀ ପ୍ରଧାନଙ୍କ ଝିଅ ଝିଲି ପ୍ରଧାନଙ୍କୁ ଦୁଇ ବର୍ଷ ପୂର୍ବେ ବିବାହ କରିଥିଲେ। ଝିଲିଙ୍କ ସ୍ୱାମୀ ଜିତେନ୍ଦ୍ର ଆରୁଖ ବର୍ତ୍ତମାନ ହାଇଦ୍ରାବାଦରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଜିତେନ୍ଦ୍ରଙ୍କ ଅନୁପସ୍ଥିତିରେ ଶ୍ୱଶୁର ଓ ଶାଶୂ ଝିଲିକୁ ସବୁବେଳେ ମାରଧର କରୁଥିଲେ। ଗତକାଲି ରାତିରେ ସେମାନେ କୌଣସି କାରଣରୁ ଝିଲିକୁ ପୁଣି ମାଡ଼ ମାରିବା ସହ ହାତଗୋଡ଼ ବାନ୍ଧି ପଡ଼ୋଶୀ ଘରର ଉଚ୍ଚା ଡୋଲିରେ ପକାଇ ଦେଇଥିଲେ। କିନ୍ତୁ ସେମାନେ ବୋହୁ ନିଖୋଜ ହୋଇଯାଇଛି ବୋଲି କହିଥିଲେ।
ଗ୍ରାମବାସୀମାନେ ବହୁ ଖୋଜାଖୋଜି କରିବା ପରେ ଝିଲିଙ୍କୁ ସେହି ଡୋଲି ଭିତରୁ ଚେତାଶୂନ୍ୟ ଅବସ୍ଥାରେ ପାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ବୁଗୁଡ଼ା ଡାକ୍ତରଖାନାକୁ ନିଆ ଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏବେ ଝିଲି ସେଠାରେ ଚିକିତ୍ସାଧୀନ ଅଛନ୍ତି। ଖବର ପାଇ ଝିଲିଙ୍କ ବାପା ମାଆ ବୁଗୁଡ଼ା ଡାକ୍ତରଖାନାରେ ପହଞ୍ଚିଛନ୍ତି। ବୁଗୁଡା ଥାନା ସବଇନ୍ସପେକ୍ଟର କାର୍ତ୍ତିକ ନାୟକ ମଙ୍ଗରାଜପୁର ଗ୍ରାମକୁ ଯାଇ ଶାଶୂ ଓ ଶ୍ୱଶୁରଙ୍କୁ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି।

Leave a comment