ବଜେଟ୍ ୨୦୨୪; ଅପରିବର୍ତ୍ତିତ ରହିଲା ଆୟକର ସୀମା

ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ (ବଜେଟ୍ ୨୦୨୪) ଉପସ୍ଥାପିତ ହୋଇ ସାରିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିସାରିଛନ୍ତି । ବିଶେଷ କରି ଅର୍ଥମନ୍ତ୍ରୀଙ୍କ ବଜେଟରେ ଆୟକର ଛାଡ଼ସୀମା ଉପରେ ଦେଶବାସୀଙ୍କ ରହିଥିଲା ନଜର । ତେବେ ଆୟକର ଛାଡ଼ସୀମାରେ କୌଣସି ପରିବର୍ତ୍ତନ କରି ନାହାନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଏହା ଅନ୍ତରୀଣ ବଜେଟ ହୋଇଥିବାରୁ ଏଥିରେ ଆୟକର ଛାଡ଼ସୀମାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ନିର୍ବାଚନ ପରେ ନୂଆ ସରକାର ଆସିଲେ ପୂର୍ଣ୍ଣାଙ୍ଗ ବଜେଟରେ ଆୟକର ଛାଡ଼ ସୀମା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ସଂସଦରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୨୪-୨୫ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୫.୧% ରହିବ ବୋଲି ଆକଳନ କରାଯାଇଛି । ଆମଦାନି ଶୁଳ୍କ ସମେତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ ପାଇଁ ସମାନ ଟିକସ ହାର ବଜାୟ ରହିବ ବୋଲି ସୀତାରମଣ କହିଛନ୍ତି ।
ତେବେ ଯାହା ଆଶା କରାଯାଉଥିଲା ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଅର୍ଥାତ ଆୟକରଦାତାଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ । ପୂର୍ବରୁ ଥିବା ସ୍ଲାବ ଅନୁଯାୟୀ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଆଦାୟ କରାଯାଏ ନାହିଁ । ଆୟକର ଦେବାର ପ୍ରକ୍ରିୟା ସରଳୀକୃତ ହୋଇଛି । ଫେରସ୍ତ ପ୍ରକ୍ରିୟା ମଧ୍ୟ ସରଳ ହୋଇଛି ।