ନିର୍ବାଚନ ପ୍ରଚାର କରୁଥିବାବେଳେ ସାଂସଦଙ୍କୁ ଛୁରାମାଡ଼

0

ନିର୍ବାଚନ ପ୍ରଚାର କରୁଥିବା ବେଳେ ସାଂସଦଙ୍କୁ ଛୁରାମାଡ଼ ହୋଇଛି। ସୋମବାର ତେଲେଙ୍ଗାନା ସିଦ୍ଧିପେଟ୍ ଜିଲ୍ଲାରେ କ୍ଷମତାସୀନ ବିଆର୍‌ଏସ୍‌ ସାଂସଦ ତଥା ଦୁବକ ବିଧାନସଭା ପ୍ରାର୍ଥୀ ହୋଇଥିବା କୋଥା ପ୍ରଭାକର ରେଡ୍ଡୀଙ୍କୁ ଅଜଣା ବ୍ୟକ୍ତି ଛୁରା ମାଡ଼ କରିଥିବା ସୂଚନା ମିଳିଛି।

ଛୁରାମାଡ଼ରେ ପ୍ରଭାକରଙ୍କ ପେଟରେ ଗଭୀର ଆଘାତ ଲାଗିଛି। ବର୍ତ୍ତମାନ ସେ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ପୁଲିସ ସୂଚନା ଦେଇଛି।

ରେଡ୍ଡୀ ବର୍ତ୍ତମାନ ମେଡକ ଲୋକସଭା ଆସନରୁ ସାଂସଦ ଅଛନ୍ତି। ଦଳ ତାଙ୍କୁ ଏଥର ଦୁବକ ଆସନରୁ ବିଧାନସଭା ପାଇଁ ପ୍ରାର୍ଥୀ କରିଛି। ନଭେମ୍ବର ୩୦ ତାରିଖରେ ନିର୍ବାଚନ ଥିବାରୁ ସେ ପ୍ରଚାର କରୁଥିଲେ। ପୁଲିସର ସୂଚନା ଅନୁସାରେ, ଶ୍ରୀ ରେଡ୍ଡୀ ଦୌଲତାବାଦ ମଣ୍ଡଳରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ଜଣେ ଅଜଣା ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ଭିଡିଓ ଭାଇରା୍ଲ ହେଉଛି। ଭିଡିଓରେ ପେଟରୁ ବାହାରୁଥିବା ରକ୍ତ ରୋକିବାକୁ ଶ୍ରୀ ରେଡ୍ଡୀ ପେଟ ଚାପି ଧରୁଥିବାର ଦେଖାଯାଉଛି।

ତେବେ ସାଂସଦ କୋଥା ପ୍ରଭାକର ରେଡ୍ଡୀଙ୍କୁ ମାରିଥିବା ଲୋକଙ୍କୁ ସମର୍ଥକମାନେ ନିସ୍ତୁକ ମାଡ଼ ମାରିଛନ୍ତି। ସିଦ୍ଧିପେଟ୍ ପୁଲିସ କମିଶନର ଶ୍ୱେତା ପିଟିଆଇକୁ କହିଛନ୍ତି ଯେ ଅଭିଯୁକ୍ତକୁ ପୁଲିସ କାବୁ କରିଛି। ମାମଲାରେ ତଦନ୍ତ ଜାରି ରହିଛି।

Leave a comment