କାହାପାଇଁ ବ୍ରହ୍ମପୁର ବିଜେଡ଼ି ଦୁଇ ଫାଳ ଜାଣନ୍ତୁ

ବ୍ରହ୍ମପୁର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରହ୍ମପୁର ସହରର ବରିଷ୍ଠ ବିଜେଡ଼ି ନେତା କେ. ଅନିଲ କୁମାରଙ୍କୁ ନେଇ ଏବେ ଦୁଇ ଫାଳ ହୋଇଯାଇଛି ବ୍ରହ୍ମପୁର ମହାନଗର ବିଜେଡ଼ି। ଗୋଟିଏ ପଟରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଥିବା ବେଳେ ଅନ୍ୟପଟେ ଅଛନ୍ତି ଜିଲା ବିଜେଡ଼ି ସଭାପତି ତଥା ବ୍ରହ୍ମପୁରର ୫ଥର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ। ପରିସ୍ଥିତି ଏମିତି ହେଲାଣି ଯେ, ବିଧାୟକଙ୍କ ସମର୍ଥକମାନେ କଡ଼ା ଭାଷାରେ ଶ୍ରୀ ଚ୍ୟାଉପଟ୍ଟନାୟକଙ୍କୁ ପାଟିତୁଣ୍ଡ କରିଛନ୍ତି।

ଘଟଣା ହେଲା, ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ ପାଇଁ ଶନିବାର ବ୍ରହ୍ମପୁର ସହରର ଏକ କଲ୍ୟାଣ ମଣ୍ଡପରେ ବ୍ରହ୍ମପୁର ମହାନଗର ବିଜେଡ଼ିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସ, ଜିଲା ବିଜେଡ଼ି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ। ତେବେ କେ. ଅନିଲ କୁମାର ବୈଠକରେ ଅନୁପସ୍ଥିତ ଥିଲେ ମଧ୍ୟ ତାଙ୍କ ସଂପର୍କରେ ସର୍ବାଧିକ ଆଲୋଚନା ହୋଇଥିଲା। ଆଲୋଚନା ପଛର କାରଣ ହେଲା, ଅନିଲ ଏକଦା ବ୍ରହ୍ମପୁରରେ ପାୱାରଫୁଲ ବିଜେଡ଼ି ନେତା ଥିଲେ। ତାଙ୍କ ଭଉଣୀ କେ.ମାଧବୀ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ମେୟର ଥିଲେ ମଧ୍ୟ ଅନିଲ ହିଁ ସବୁକିଛି ନିୟନ୍ତ୍ରଣ କରୁଥିଲେ। ସେହି ସମୟରେ ବିଧାୟକ ଥିଲେ ଶ୍ରୀ ଚ୍ୟାଉପଟ୍ଟନାୟକ। ଏଣୁ ଉଭୟଙ୍କ ମଧ୍ୟରେ ସେହି ସମୟରୁ ହିଁ ଉତ୍ତମ ସଂପର୍କ ରହିଛି। ଏହା ଭିତରେ ଅନେକ କିଛି ପରିବର୍ତ୍ତତନ ହୋଇଛି। କଂଗ୍ରେସରୁ ଆସି ବିଜେଡ଼ିରେ ମିଶିବା ସହ ବିଧାୟକ ହୋଇଛନ୍ତି ଶ୍ରୀ ପଣ୍ଡା। ତେବେ ଅନିଲଙ୍କ ସହ ଶ୍ରୀ ପଣ୍ଡାଙ୍କ ସଂପର୍କ ଆଦୌ ଭଲ ନାହିଁ। ଏପରିକି ଶ୍ରୀ ପଣ୍ଡାଙ୍କୁ କାଉଣ୍ଟର କରିବା ପାଇଁ ସହରରେ ସମନ୍ତରାଳୟ ସଂଗଠନ ଚଲାଇଚନ୍ତି ଅନିଲ। ଏଭଳି ସ୍ଥଳେ ବିଜେଡ଼ିରୁ ବହିସ୍କୃତ ହୋଇଯାଉଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ। କିନ୍ତୁ ତାଙ୍କୁ ଦଳରୁ ବହିସ୍କାର ପରେ ଅନିଲ ଏକାଠି ହୋଇଛନ୍ତି। ଗୋପାଳପୁରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ନେଉଛନ୍ତି ଅନିଲ। ପ୍ରଦୀପଙ୍କ ପାଖରେ ପାଖରେ ରହୁଛନ୍ତି। ଗୋଟିଏ ପଟେ ପ୍ରଦୀପଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟପଟେ ବିକ୍ରମଙ୍କୁ ତୀବ୍ର ବିରୋଧ କରୁଛନ୍ତି ଅନିଲ। ଗତ ପୌର ନିର୍ବାଚନ ସମୟରେ ମଧ୍ୟ ଏହା ଦେଖିବାକୁ ମିଳିଥିଲା। କିନ୍ତୁ ଦଳ ତରଫରୁ ଅନିଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ଏହାକୁ ନେଇ ଶନିବାରର ବୈଠକରେ ତୁମ୍ବିତୁଫାନ ହୋଇଥିଲା। ବିଧାୟକ ବିକ୍ରମଙ୍କୁ କେତେକ କର୍ମୀ ଏହି ପ୍ରସଙ୍ଗ ଉଠାଇଥିଲେ। ଅନିଲଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଜିଲା ସଭାପତି ଚ୍ୟାଉପଟ୍ଟନାୟକଙ୍କୁ ପ୍ରଶ୍ନ କରିଥିଲେ। ‘ଦଳ ଚଳାଇବା ପାଇଁ ଆପଣ ଠିକ୍ ଲୋକ ନୁହଁ’ ବୋଲି କହିବାକୁ ମଧ୍ୟ ପଛାଇ ନଥିଲେ ବିଧାୟକଙ୍କ ସମର୍ଥକ। ଅନ୍ୟ କର୍ମୀମାନେ ମଧ୍ୟ ଖୋଲାଖୋଲି ଭାବେ ଅନିଲଙ୍କ ପ୍ରସଙ୍ଗକୁ ନେଇ ଚ୍ୟାଉପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ଏହାକୁ ଚ୍ୟାଉପଟ୍ଟନାୟକଙ୍କ ସମର୍ଥକମାନେ ବିରୋଧ କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ତୁମ୍ବିତୁଫାନ ହୋଇଥିଲା। ଉଭୟ ପଟରୁ ପାଟିତୁଣ୍ଡ ହୋଇଥିଲା। ଝଗଡ଼ାକୁ ଅଟକାଇବା ପାଇଁ ହସ୍ତକ୍ଷେପ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଅବଗତ କରାଯିବ ବୋଲି କହିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ଗଞ୍ଜାମ ଜିଲାର ଗୋଟିଏ ପରେ ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର କନ୍ଦଳ ତୀବ୍ର ହେଉଥିବା ବେଳେ ବ୍ରହ୍ମପୁରକୁ ମଧ୍ୟ ବ୍ୟାପିଥିବା କୁହାଯାଉଛି। କାରଣ ପୂର୍ବରୁ ବିଜେଡ଼ିର କୌଣସି ବୈଠକରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥିଲା। ଏପରିକି ଚ୍ୟାଉପଟ୍ଟନାୟକ ବ୍ରହ୍ମପୁରର ୫ ଥର ବିଧାୟକ ହେବା ସହ ଦଳର ସଂଗଠନକୁ ସୁଦୃଢ଼ ରଖିଛନ୍ତି। କଂଗ୍ରେସରୁ ଆସି ବିଜେଡ଼ିରେ ମୁଖିଆ ହେବାକୁ ଚେଷ୍ଟା କରୁଥିବା ଆମଦାନୀ ନେତାମାନେ ଆମକୁ ସଂଗଠନ ବିଷୟରେ କହିବାକୁ ଯୋଗ୍ୟ ନୁହଁ ବୋଲି ମଧ୍ୟ ପୁରୁଣା ବିଜେଡ଼ି ନେତାମାନେ ଆଲୋଚନା କରୁଛନ୍ତି।