ବିଜେପିର କାର୍ଯ୍ୟକାରିଣୀ: ପଞ୍ଚାୟତ ନିର୍ବାଚନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

0

ଭୁବନେଶ୍ଵର ୨୪।୧୧: ଆଜି ଭୁବନେଶ୍ବରରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଳର ବରିଷ୍ଠ ନେତାମାନେ ଦଳର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିଛନ୍ତି। ବିଶେଷ କରି ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାର ଦଳ ତାର ରଣନୀତି ତିଆରି କରିଛି। ମମିତା ମେହେର ହତ୍ୟା ପ୍ରସଙ୍ଗ ଠାରୁ ଆରମ୍ଭ ଆଇନ ଶୃଙ୍ଖଳା, ଚାଷୀ ସମସ୍ୟା, ବିଜୁଳି ଦର ଆଦି ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିବା ଲାଗି ଲକ୍ଷ୍ୟ ରଖିଛି।
ପଞ୍ଚାୟତ ପାଇଁ ବିଜେପିର ବିଗ ପ୍ଲାନ । ଦଳର ତୁଙ୍ଗନେତା କରିଛନ୍ତି ମାନସ ମନ୍ଥନ । କାର୍ଯ୍ୟକାରିଣୀରେ ପଞ୍ଚାୟତ ଦଖଲ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେପି । ପଞ୍ଚାୟତକୁ ମୋଦି ସରକାରଙ୍କ ଅନୁଦାନ, ରାଜ୍ୟକୁ କେନ୍ଦ୍ର ସରକାରଙ୍କ ସହାୟତା, କେନ୍ଦ୍ରସରକାରଙ୍କ ସଫଳ ଯୋଜନା ସାଙ୍ଗକୁ ରାଜ୍ୟ ସରକାରଙ୍କ ବିଫଳତାକୁ ଅସ୍ତ୍ର କରି ଲୋକଙ୍କ ପାଖକୁ ଯିବାକୁ କାର୍ଯ୍ୟକାରିଣୀରେ ପ୍ରସ୍ତାବ ଗୃହୀତ ହୋଇଛି । ପଞ୍ଚାୟତ ରାଜ ଯୋଜନାରେ କେନ୍ଦ୍ର ସରକାର ପ୍ରତି ପଞ୍ଚାୟତକୁ ଦେଉଥିବା ୮୦ ଲକ୍ଷ ଟଙ୍କାର ସଠିକ ବିନିଯୋଗ ହୋଇ ପାରୁନି । କେନ୍ଦ୍ରରୁ ମନରେଗା ଓ ଆବାସ ଯୋଜନାରେ ଆସୁଥିବା ଅର୍ଥର ପ୍ରକୃତ ହିତାଧୀକାରୀ ପାଉ ନାହାନ୍ତି ।
ଏସବୁକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବା ଲାଗି କାର୍ଯ୍ୟକାରିଣୀରେ ରଣନୀତି ପ୍ରସ୍ତୁତ କରିଛି ବିଜେପି । ଏଥି ସହିତ ଆଇନ ଶୃଙ୍ଖଳା, ମହିଳା ସୁରକ୍ଷା, ମମିତା ମେହର ହତ୍ୟାକାଣ୍ଡ ସିବିଆଇ ତଦନ୍ତ, ଚାଷୀ ସମସ୍ୟା, ବିଜୁଳି ଦର ବୃଦ୍ଧି, ପିସି କାରବାର ଆଦି ପ୍ରସଙ୍ଗ ଉପରେ ରାଜ୍ୟ ସରକାରଙ୍କ ବିରୋଧରେ କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତୁତ କରିଛି ଦଳ ।
ପଞ୍ଚାୟତ ସ୍ତରରୁ ଆନ୍ଦୋଳନ କରିବାକୁ ତିନି ମାସିଆ ଖସଡା ଆଜି କାର୍ଯ୍ୟକାରିଣୀରେ ପାରିତ ହୋଇଛି। ଏଥି ସହିତ କିପରି ଦଳ ପଞ୍ଚାୟତ ସ୍ତରରେ ଲୋକଙ୍କ ସହ ରହିବ ସେନେଇ ଜିଲ୍ଲା ପ୍ରଭାରୀ ଓ ଜିଲ୍ଲା ପର୍ଯ୍ୟବେକ୍ଷଙ୍କୁ ମନ୍ତ୍ର ଦେଇଛନ୍ତି ଦଳର ତୁଙ୍ଗନେତା । ମଣ୍ଡଳ ସଭାପତିମାନେ ନିଜ ନିଜ ଅଞ୍ଚଳରୁ ତିନୋଟି ଲେଖାଏ ସମସ୍ୟା ଜିଲ୍ଲା ସ୍ତରକୁ ଦେଇଥିଲେ । ଆଉ ଜିଲ୍ଲା ସଭାପତି ମାନେ ନିଜ ନିଜ ସମସ୍ୟା ବୈଠକରେ ଉପସ୍ଥାପନ କରିଛନ୍ତି । ସେସବୁ ସ୍ଥାନୀୟ ସମସ୍ୟାକୁ ଦଳ ଫୋକସରେ ରଖିବ ବୋଲି ସ୍ଥିର କରିଛି । ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି । ଏବେ ମୈଦାନକୁ ଲମ୍ଫ ପ୍ରଦାନ କରିବେ କର୍ମୀ।

Leave a comment