ପୁରୀ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାଶଙ୍କୁ ସୋମବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି । ତାଙ୍କୁ ପେଣ୍ଠକଟା ନୋଳିଆ ବସ୍ତିରେ ୧୫ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ସେ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଛନ୍ତି । ଗୁରୁତର ଅବସ୍ଥାରେ ଜୟନ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅଭିଯୋଗ ଅନୁଯାୟୀ, ସୋମବାର ସନ୍ଧ୍ୟାରେ ପେଣ୍ଠକଟା ନୋଳିଆ ବସ୍ତିରେ ବିଜେଡି ସମର୍ଥକମାନେ ଘର ଘର ବୁଲି ଟଙ୍କା ବାଣ୍ଟୁଥିବା ବିଜେପି ଯୁବମୋର୍ଚ୍ଚା ପାଖରେ ଖବର ପହଞ୍ଚିଥିଲା । ଏ ନେଇ ଜିଲାପାଳ, ଉପଜିଲାପାଳ, ନିର୍ବାଚନ କମିଶନଙ୍କୁ ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନ ଥିଲା । ପରେ ବଜେପି ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାଶ ଘଟଣାସ୍ଥଳକୁ ଯାଇ ଟଙ୍କା ବଣ୍ଟାକୁ ବିରୋଧ କରିଥିଲେ । ତେଣୁ ସେଠାରେ ବିଜେଡି କର୍ମୀମାନେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଜୟନ୍ତଙ୍କ ବାମ ଆଖିପତା ତଳ ଫାଟିିଯାଇଥିବା ବେଳେ ମୁହଁ, ନାକ, ଓଠ ଏବଂ ଶରୀରର ବିିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ଜୟନ୍ତଙ୍କ ସମେତ ବିଜେପି ଯୁବମୋର୍ଚ୍ଚାର ବିଶ୍ୱନାଥ ସେନାପତି, ଆଶିଷ ବରାଳ ଏବଂ ଅନ୍ୟ ୨ଜଣ ମଧ୍ୟ ଆହତ ହୋଇଛନ୍ତି । ଜୟନ୍ତଙ୍କୁ ଆକ୍ରମଣ ବେଳେ ସିଟି ଡିଏସ୍ପି ପେଣ୍ଠକଟା ନୋଳିଆ ବସ୍ତିରେ ଡ୍ୟୁଟି କରୁଥିଲେ । ମାତ୍ର ତାଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ବି ସେ ଗୁରୁତ୍ୱ ଦେଇ ନ ଥିଲେ ବୋଲି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି । ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ପାଇଁ ପୁରୀ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ଦାବି କରିଛନ୍ତି ।