କେଉଁ ମାନଙ୍କ ବିଜେଡି ଟିକେଟ ପକ୍କା ଜାଣନ୍ତୁ….

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନକୁ ଏକ ବର୍ଷ ରୁ କମ ସମୟ ରହିଲା । ତେଣୁ ଶାସକ ବିଜେଡି ଦଳ ପକ୍ଷରୁ ଖୁବ ତତ୍ପରତା ପ୍ରକାଶ ପାଇଛି । ଅକ୍ଷୟ ତୃତୀୟା ରେ ଶଙ୍ଖ ଭବନର ଉଦଘାଟନ କାର୍ଯ୍ୟକ୍ରମ ପୂର୍ବ ଦିନ ଅର୍ଥାତ ଗତ ଶନିବାର ଦିନ ପ୍ରାୟ ୧୫ଜଣଙ୍କୁ ନବୀନ ନିବାସରୁ ଆସିଥିଲା ଡକରା । ଅପରପକ୍ଷରେ ଶଙ୍ଖ ଭବନ ଉଦଘାଟନ ପରେ ଅନେକ ବିଧାୟକ ଏବଂ ନେତା ଙ୍କୁ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଟିକେଟ ଦେବା ପ୍ରତିଶ୍ରୁତି ମିଳିଛି । ପାଖାପାଖି ୫୦% ନେତାଙ୍କୁ ଟିକେଟ ମିଳିବାର ଆଶ୍ୱାସନା ମିଳିଛି । ଏହା ସହ ଏହାକୁ ଗୁପ୍ତ ରଖିବାକୁ ମଧ୍ୟ କୁହାଯାଇଛି । ତୃତୀୟ ମହଲାରୁ ଡାକରା ପାଇ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରିଥିବା ନେତାଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରାକ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିବାକୁ ମିଳିଛି ନିର୍ଦ୍ଦେଶ । ମାତ୍ର ପୁରୀ ଜିଲ୍ଲାରୁ କାହାକୁ ଡକାଯାଇନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୁରୀରେ ଦଳୀୟ କନ୍ଦଳ, ଏକାଧିକ ଆଶାୟୀ ପ୍ରାର୍ଥୀ ତଥା ରାଜନୈତିକ ଅସ୍ଥିରତା ଆକଳନ କରି କାହାକୁ ଡକା ଯାଇନଥିବା ସୂଚନା ମିଳିଛି । ସେହିପରି ନୟାଗଡ଼ ଜିଲ୍ଲା ରୁ କେବଳ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଙ୍କୁ ଡକାଯାଇଥିବା ବେଳେ ଜଗତସିଂହପୁର ରୁ ପ୍ରସନ୍ନ ମୁଦୁଲିଙ୍କୁ ଡକାଯାଇଥିଲା । ଅପରପକ୍ଷରେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏବଂ ଏକାମ୍ର ରୁ ମନ୍ତ୍ରୀ ଅଶୋକ ପଣ୍ଡା ଙ୍କୁ ଡାକରା ଆସିଥିଲା । ମାତ୍ର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଙ୍କୁ ଡକା ଯାଇନଥିବା ଅଧିକ ଚର୍ଚ୍ଚା ର ବିଷୟ ପାଲଟିଛି । କିଛି ରାଜନୈତିକ ବିଶେଷକ ଙ୍କ କହିବା ଅନୁଯାୟୀ, ମଧ୍ୟ ନିର୍ବାଚନ ମଣ୍ଡଳୀ ବିଧାୟକ ପୂର୍ବରୁ ଅନେକ ବିବାଦରେ ଛନ୍ଦି ହୋଇଛନ୍ତି ଏହାସହ ଅନେକ ଆଶାୟୀ ଲବୀ କରୁଛନ୍ତି , ତେଣୁ ବର୍ତ୍ତମାନ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରାପଡା ଜିଲ୍ଲାର ଦୁଇ ମନ୍ତ୍ରୀ ଅତନୁ ସବ୍ୟସାଚୀ, ପ୍ରତାପ ଦେବଙ୍କୁ ମଧ୍ୟ ନବୀନ ନିବାସ ରେ ଦେଖିବାକୁ ମିଳିଥିଲା ।

ସେହିପରି କଟକ ଜିଲ୍ଲାର ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ପ୍ରତାପ ଜେନା, ଦେବୀ ମିଶ୍ର, ରାଜା ସ୍ବାଇଁଙ୍କୁ ଡକାଯାଇଥିବା ବେଳେ ଯାଜପୁର ର ପ୍ରଣବ ବଳବନ୍ତ ରାୟ, ପ୍ରମିଳା ମଲ୍ଲିକ, ପ୍ରଣବ ପ୍ରକାଶ ଦାସ, ପ୍ରୀତି ରଞ୍ଜନ ଘଡେଇଙ୍କୁ ନିଜ ନିଜ ଅଞ୍ଚଳରେ ବିଜେଡି କୁ ଅଧିକ ସୁଦୃଢ କରିବା ସହ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟିକେଟ ଆଶ୍ୱାସନା ପରେ ଏହି ନେତା ମାନେ ପୁରୀ ଗ୍ରସ୍ତ କରି ଜଗନ୍ନାଥ ଦର୍ଶନ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ବିଗତ କିଛିଦିନ ହେବ ଆସନ୍ତା ସାଧାରଣ ନିର୍ବାଚନରେ ପାଖାପାଖି ୬୦ଟି ନୂଆ ଚେହେରା ଦେଖିବାକୁ ମିଳିବା ନେଇ ଅନେକ ଚର୍ଚ୍ଚା ହେଉଥିଲା । କାହା ଟିକେଟ କଟିବ କାହାର ରହିବ ତାକୁ ନେଇ ଆରମ୍ଭ ହୋଇଥିଲା କଳ୍ପନା ଜଳ୍ପନା । କିଛି ଏହାକୁ ଉଡା ଖବର କହୁଥିବା ବେଳେ ନବୀନ ନିବାସରୁ ପ୍ରାୟ ୬୦ ଜଣଙ୍କୁ ଡାକରା ଯିବା ଅନ୍ୟ ବିଧାୟକଙ୍କ ମନରେ ସଂଶୟ ସୃଷ୍ଟି କରିଛି । ପୂର୍ବରୁ ଚର୍ଚ୍ଚା ହେଉଥିବା ୫୦ ରୁ ୬୦ ଟିକେଟ କଟିବା ଏବଂ ସେହି ସ୍ଥାନରେ ନୂତନ ଚେହେରା ଦେଖିବାକୁ ମିଳିବା କଥା ନେତାଙ୍କ ଚିନ୍ତା ବଢ଼ିବାରେ ଲାଗିଛି ।

Leave a comment