ବଦଳିବ କି ଉପକୂଳ ରାଜନୈତିକ ଇତିହାସ ? ବୈଜୟନ୍ତ, ଦାମ ଓ ବିଜୟଙ୍କ ଯୋଡିକୁ ନେଇ ଚିନ୍ତାରେ ବିଜେଡି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉପକଳୂଳର ବିଜେଡି ହେଭିଓ୍ବେଟ ନେତା ଭାବେ ଜଣାଶୁଣା କେନ୍ଦ୍ରାପଡ଼ା ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା, ପାରାଦୀପ ବିଧାୟକ ଡା. ଦାମୋଦର ରାଉତ ଓ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ବିଜେପିରେ ଯୋଗଦାନ ପରେ ଉପକୂଳରେ ରାଜନୈତିକ ପଟ୍ଟପରିବର୍ତ୍ତନର ସମ୍ଭାବନା ଦେଖାଦେଇଛି । ନିଜ ନିଜ ନିର୍ବାଚନ ମଣ୍ଡଳୀରେ ସମସ୍ତେ ନିଜର ସଂଗଠନକୁ ଖୁବ୍‌ ସୁଦୃଢ଼ କରିଥିବା ବେଳେ ଏଥର ରାଜ୍ୟରେ ବିଜେପି ହାଓ୍ବା ମଧ୍ୟ ରହିଛି । ବରିଷ୍ଠ ନେତା ଡା. ରାଉତ ବିଜେପିରେ ଯୋଗଦେବା ପରେ ତାଙ୍କୁ ଦଳ ଏରସମା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରିଛି । ଏରସମା ଦାମଙ୍କ ଜନ୍ମଭୂମି ହୋଇଥିବାରୁ ସେଠାରେ ତାଙ୍କର ଦବଦବା ରହିବା ସ୍ବଭାବିକ । ସେପଟେ ବୈଜୟନ୍ତ ଓ ବିଜୟଙ୍କର କେନ୍ଦ୍ରାପଡ଼ାରେ ବେଶ୍‌ ଲୋକପ୍ରିୟତା ରହିଛି । ୪ ମାସ ତଳେ ବିଜେପିରୁ ଇସ୍ତଫା ଦେବା ପରେ କୌଣସି ଦଳରେ ଯୋଗଦେଇ ନ ଥିବା ବେଳେ ବି ବିଜୟଙ୍କର ସମର୍ଥକଙ୍କ ସଂଖ୍ୟା କମି ନ ଥିଲା । ଏବେ ବିଜେପି ତାଙ୍କୁ ପାଟକୁରା ବିଧାନସଭା ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ସେହି ନିର୍ବାଚନ ମଣ୍ଡଳୀରେ ବିଜେଡି ବେଦପ୍ରକାଶ ଅଗ୍ରଓ୍ବାଲଙ୍କୁ ଟିକେଟ ଦେଇଛି । ଯଦି ବିଜୟ ପାଟକୁରାରୁ ନିର୍ବାଚନ ଲଢ଼ନ୍ତି ତେବେ ଉଭୟଙ୍କ ମଧ୍ୟରେ ଟକ୍କର ଜୋରଦାର ହେବ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି । ଅପରପକ୍ଷେ କେନ୍ଦ୍ରାପଡା ଲୋକସଭା ଆସନରେ ବୈଜୟନ୍ତଙ୍କ ବିପକ୍ଷରେ ବିଜେଡି ରାଜ୍ୟସଭା ସଦସ୍ୟ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ଟିକେଟ ଦେଇଛି । ଅନୁଭବଙ୍କର ମଧ୍ୟ ଲୋକପ୍ରିୟତା ବେଶ୍‌ ଥିବାରୁ ଏଠାରେ ବି କଡ଼ା ଟକ୍କର ହେବ ବୋଲି ଜଣାପଡ଼ିଛି ।

Leave a comment