ଆରପାରିରେ ବିଜେଡି ନେତା ସୁବାସ ଚୌହାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମ ଓଡିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ସୁବାସ ଚୌହ୍ୱାନଙ୍କ ଗତକାଲି ରାତି ୩. ୦୫ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଗତ ୩୦ ତାରିଖରେ ସ୍ବର୍ଗତ ଚୌହ୍ୱାନ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ଗତ ଗୁରୁବାର ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ୫୪ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ସୁବାସ ଚୌହ୍ୱାନଙ୍କ ଦେହାନ୍ତ ହୋଇଥିବା ଖବର ପ୍ରଚାର ହେବା ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ଚୌହ୍ୱାନ ଲିଭର୍ କ୍ୟାନସର୍ ପୀଡିତ ଥିଲେ ।
୧୯୬୬ରେ ବରଗଡରେ ଜନ୍ମ ଗ୍ରହଣ ଜାରିଥିବା ସ୍ୱର୍ଗତ ଚୌହାନ ପାଠ ପଢିଲା ବେଳୁ ଆରଏସଏସ ଓ ବଜରଙ୍ଗ ଦଳରେ ଥିଲେ । ସେ ବଜରଙ୍ଗ ଦଳର ରାଷ୍ଟ୍ରୀୟ ମୁଖ୍ୟ ପଦରେ ଥାଇ ଖୁବ ସୁମାମ ଅର୍ଜନ କରିଥିଲେ । ପରେ ସେ ବିଜେପିରେ ଯୋଗ ଦେଇଥିଲେ । ୨୦୧୯ ନିର୍ବାଚନରେ ତାଙ୍କୁ ବିଜେପି ପକ୍ଷରୁ ଟିକେଟ ନ ମିଳିବାରୁ ସେ ବିଜେପି ଛାଡି ବିଜେଡି ରେ ଯୋଗ ଦେଇଥିଲେ । ପରେ ସେ ୨୦୧୯ ସେପ୍ଟେମ୍ବରରେ ଡବ୍ଲ୍ୟୁଓଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ । ଏଥିସହ ବିଜେଡି ଦଳ ପକ୍ଷରୁ କଳାହାଣ୍ଡି, ବଲାଙ୍ଗିର, ବରଗଡ, ସମ୍ବଲପୁର ଜିଲ୍ଲା ପାଇଁ ସେ ମଧ୍ୟ ସାଧାରଣ ସମ୍ପାଦକ ଥିଲେ । ୨୦୧୪ ଲୋକ ସଭା ନିର୍ବାଚନରେ ସେ ବରଗଡ ଲୋକସଭା କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ହୋଇ ମାତ୍ର ୧୦ ହଜାର କମ ଭୋଟ ପାଇ ହାରି ଥିଲେ ।
ଡବ୍ଲୁଡିସି ଅଧ୍ୟକ୍ଷ ହେବା ପରେ ସ୍ବର୍ଗତ ଚୌହାନ ପରିଷଦ ଅଧିନସ୍ଥ ୧୧ଟି ଜିଲ୍ଲା ଭ୍ରମଣ କରି କାର୍ଯ୍ୟର ସମୀକ୍ଷା କରିଥିଲେ । ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମ ୧୦୦ ଦିନ ଥିଲା । ଏହା ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୧୦୦ ଦିନର ହିସାବ ଦେଇଥିଲେ । କଳାହାଣ୍ଡିରେ ଏକ ମିଟିଙ୍ଗ ସାରି ବଲାଙ୍ଗୀର ଦେଇ ସମ୍ବଲପୁର ଆସୁଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ । ଡ଼ିସେମ୍ବର ୨୦ ପରେ ସ୍ବର୍ଗତ ଚୌହାନ ହାଇଦ୍ରାବାଦ, କେରଳ ଓ ମୁମ୍ବାଇ ଆଦି ବିଭିନ୍ନ ହସ୍ପିଟାଲ ଯାଇ ଚିକିତ୍ସିତ ହେଉଥିଲେ । ଅବିବାହିତ ଚୌହାନ୍ ଭୁବନେଶ୍ୱର ବିବେକାନନ୍ଦ ମାର୍ଗରେ ଥିବା ଜଣେ ଦୂର ସମ୍ପର୍କୀୟଙ୍କ ଘରେ ରହୁଥିଲେ । ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ଡାକ୍ତରଖାନରେ ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ, ଲେଖକ,ବିଜେଡିର ବହୁ ନେତା ଓ ଡବ୍ଲୁଡିସିର କର୍ମଚାରୀମାନେ ଶେଷ ଦର୍ଶନ କରି ତାଙ୍କ ଶବାଧାରାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।