ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ବ ନେଲେ ବିଜେଡି ନେତା ପ୍ରଦୀପ ମାଝୀ

0

ପୂର୍ବତନ ନବରଙ୍ଗପୁର ସାଂସଦ, ଦକ୍ଷିଣ ଓଡ଼ିଶାର ଟାଣୁଆ ଆଦିବାସୀ ନେତା ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ମାନ୍ୟବର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ମାନ୍ୟବର ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ମାନ୍ୟବର କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ମାନ୍ୟବର ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାନ୍ୟବର ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଟା ସୁଧୀର ଦାସ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ରାଜ୍ୟସ୍ତରୀୟ ପ୍ରଶାସନିକ ସଂସ୍ଥାନର ସଚିବ ସୁମିତା ଦାସ, ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପ୍ରଦୀପ ମାଝୀ ଏ ଗୁରୁଦାୟିତ୍ୱ ଗ୍ରହଣ କରିଛନ୍ତି ।

ଏ ଅବସରରେ ନିଜର ବକ୍ତବ୍ୟ ରଖି ପ୍ରଦୀପ ମାଝୀ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ତଥା ଆଶୀର୍ବାଦରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ୯ଟି ଆଦିବାସୀ ବହୁଳ ଜିଲ୍ଲାରେ କଳା, ସଂସ୍କୃତି, ଓ ଜୀବନ ଜୀବିକାକୁ ପାଥେୟ କରି ଆଦିବାସୀ ଭାଇ ଓ ଭଉଣୀଙ୍କ ଜୀବନରେ ପରିବର୍ତ୍ତନ ପାଇଁ ନିଜର ଚେଷ୍ଟା ଜାରି ରଖିବ । ଆଦିବାସୀଙ୍କ ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସଦା ସର୍ବଦା ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।

ପ୍ରଦୀପ ମାଝୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବିଭିନ୍ନ ସରକାରୀ ବିଭାଗ ସହ ସମନ୍ୱୟ ରକ୍ଷା କରି ଜନହିତରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ।

Leave a comment