ଦଲାଲଙ୍କ ପାଇଁ ଓକିଲାତି କରୁଛି ବିଜେପି: ବିଜେଡି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଜାରି ରହିଥିବା ଧାନ କିଣା ପ୍ରକ୍ରିୟାରେ ଚାଷୀମାନେ ଉପକୃତ ହେଉଥିବାବେଳେ କେତେକ ଦଲାଲଙ୍କ ସହ ହାତ ମିଳାଇ ଓଡିଶା ବିଜେପି ସେମାନଙ୍କ ପାଇଁ ଓକିଲାତି କରୁଛି । ବିଜେପି ନେତାମାନେ ସର୍ବଦା ଦଲାଲମାନଙ୍କ ପାଇଁ ଓକିଲାତି କରୁଥିବା ରାଜ୍ୟବାସୀ ଭଲଭାବେ ଜାଣିଛନ୍ତି ବୋଲି କହିଛନ୍ତି ବିଜେଡି
ମୁଖପାତ୍ର ଶ୍ରୀମୟୀ ମିଶ୍ର ।
ଶ୍ରୀମତୀ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ରେକର୍ଡ ପରିମାଣର ଧାନ ଉତ୍ପାଦନ ହୋଇଥିବାବେଳେ ଠିକଣା ଭାବେ ଧାନ ସଂଗ୍ରହ ଯୋଗୁଁ ଲକ୍ଷାଧିକ ଚାଷୀ ଉପକୃତ ହେଉଛନ୍ତି । ୨୦୧୮-୧୯ ବର୍ଷରେ ୬୫.୫ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବାବେଳେ ଚାଷୀମାନଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୧,୪୦୦ କୋଟି ଟଙ୍କା ପଠାଯାଇଥିଲା । ୨୦୧୯-୨୦ ବର୍ଷରେ ଧାନ ସଂଗ୍ରହ ପରିମାଣ ୭୦.୫୬ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ ଚାଷୀମାନଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୨,୮୦୮ କୋଟି ଟଙ୍କା ଯାଇଥିଲା ଯେଉଁଥିରୁ ଓଡିଶାର ଚାଷୀମାନେ କିଭଳି ଉପକୃତ ହେଉଛନ୍ତି ତାହା ଦେଖିବାକୁ ମିଳିଥିଲା। ପ୍ରକୃତ ଚାଷୀଙ୍କ ନିକଟରେ ଥିବା ଗୋଟିଏ ଅଖା ଧାନକୁ ମଧ୍ୟ ସଂଗ୍ରହ କରିବାପାଇଁ ବିଜେଡି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।
ବିଜେଡି ମୁଖପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ଚାଷୀଙ୍କ ଠାରୁ ଧାନ ଖରିଦ କରିଚାଲିଥିବାବେଳେ ବିଜେପି ଏବେ
ଦଲାଲଙ୍କ ପାଇଁ ଓକିଲାତି କରୁଛି । ଦିଲ୍ଲୀରେ କୃଷକମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଚଳାଉଥିବା ପ୍ରଦର୍ଶନରୁ ନଜର
ହଟାଇବାପାଇଁ ଓଡିଶା ବିଜେପି ଏଭଳି ଡ୍ରାମା କରୁଥିବା ଓଡିଶାବାସୀ ଭଲଭାବେ ବୁଝି ସାରିଲେଣି । ବିଜେଡି ସାଂସଦମାନେ
ଗତକାଲି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିବା ସହିତ ଚାଉଳ ସଂଗ୍ରହ ଓ ସବସିଡ୍ ପ୍ରଦାନ ସମ୍ପର୍କିତ ସମସ୍ୟାର ସମାଧାନ
ହୋଇଛି । ହେଲେ ବିଜେପି ସାଂସଦମାନେ ଓଡିଶା ପାଇଁ କରିଛନ୍ତି କ’ଣ ? ଏଠାରେ ଶସ୍ତା ରାଜନୀତି କରିବା ଅପେକ୍ଷା ଓଡିଶା ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ବିଜେଡି ସାଂସଦଙ୍କ ଭଳି ସେମାନେ ପଦକ୍ଷେପ ନେବା ଉଚିତ୍ । ଧାନ ସଂଗ୍ରହ ପ୍ରକ୍ରିୟାରେ ପ୍ରକୃତ ଚାଷୀଙ୍କ ନିକଟରେ ଥିବା ଗୋଟିଏ ଧାନକୁ ବି ସଂଗ୍ରହ କରାଯିବା ନେଇ ବିଜେଡି ସରକାର ଗ୍ୟାରେଣ୍ଟି ଦେଇଥିବା ମୁଖପାତ୍ର ଶ୍ରୀମତୀ ମିଶ୍ର କହିଛନ୍ତି ।