ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ମାମଲା ରୁଜୁ
ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ବାରିପଦା ଟାଉନ ଥାନାରେ ମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ଦେଲେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଦୁଇ ଆହତ ଅଧିକାରୀ । ମନ୍ତ୍ରୀଙ୍କ ବିରୋଧରେ ୫୦/୨୨ରେ ମାମଲା ରୁଜୁ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ମାଡରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଦୁଇ ଅଧିକାରୀ ଗୁରୁତର ହୋଇ ପିଆରଏମ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଉପନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର ଗୁରୁତର ହୋଇଛନ୍ତି । ଦେବାଶିଷଙ୍କ ବାମ ହାତ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ବିଜେପି ପାର୍ଟି ଅଫିସ ମଧ୍ୟରେ କବାଟ ବନ୍ଦ କରି ଚେୟାରରେ ଆକ୍ରମଣ କରି ହାତ ଭାଙ୍ଗିବା ସହିତ ବିଶ୍ୱେଶ୍ୱର ପ୍ରବଳ ମାଡ ମାରିଥିବା ଅଭିଯୋଗ ହୋଇଛି ।
ଏହି ଦୁଇ ଅଧିକାରୀଙ୍କୁ ବିଶ୍ୱେଶ୍ୱର ଟୁଡୁ ଗତକାଲି ବାରିପଦା ସ୍ଥିତ ବିଜେପି ପାର୍ଟି ଅଫିସକୁ ଏମପି ଲାଡ୍ ସମ୍ପର୍କିତ ଫାଇଲ୍ ଧରି ଆସିବା ପାଇଁ କହିଥିଲେ । କିନ୍ତୁ କୋଡ୍ ଅଫ୍ କଣ୍ଡକ୍ଟ ଲାଗିଥିବାରୁ ପାର୍ଟି ଅଫିସକୁ ଯାଇପାରିବେନି ବୋଲି ଦୁଇ ଅଧିକାରୀ କହିଥିଲେ । କିନ୍ତୁ ଏହାପରେ ଦିଲ୍ଲୀ ଅଫିସରୁ ଫୋନ୍ ଆସିବାରୁ ଦୁଇ ଅଧିକାରୀ ପାର୍ଟି ଅଫିସକୁ ଯିବାକୁ ବାଧ୍ୟ ହୋଇଥିଲେ। ସେମାନଙ୍କୁ ମନ୍ତ୍ରୀଙ୍କ ପିଏ ଫୋନ କରି ଫାଇଲ ନନେଇ କେବଳ ଆଲୋଚନା ପାଇଁ ଆସିବାକୁ କହିଥିଲେ। ତେଣୁ ଏହି ଦୁଇ ଅଧିକାରୀ ପାର୍ଟି ଅଫିସକୁ ମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଯାଇଥିଲେ। ପାର୍ଟି ଅଫିସ୍ରେ ପହଞ୍ଚିବା ମାତ୍ରେ ଏହି ଦୁଇ ଅଧିକାରୀଙ୍କୁ ମନ୍ତ୍ରୀ ପ୍ରଥମେ ଲୁହା ରଡରେ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିବା ଅଭିଯୋଗ ହୋଇଛି । ପରେ ପ୍ଲାଷ୍ଟିକ ଚେୟାରରେ ସହକାରୀ ନିର୍ଦ୍ଦେଶକଙ୍କୁ ଆକ୍ରମଣ କରିଥିଲେ।