ଆନ୍ଧ୍ରପ୍ରଦେଶର ରାଜ୍ୟପାଳଙ୍କ କାର୍ଯ୍ୟାଳୟର ଚାରିଜଣ କର୍ମଚାରୀ କରୋନା ସଂକ୍ରମିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦଙ୍କ କାର୍ଯ୍ୟାଳୟର ଚାରିଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂକ୍ରମିତଙ୍କ ମଧ୍ୟରେ ଜଣେ ସୁରକ୍ଷା ଅଧିକାରୀ ଥିବାବେଳେ ଜଣେ ଷ୍ଟାଫ୍ ନର୍ସ ଥିବା ଆନ୍ଧ୍ରର ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ମୁଖ୍ୟ ସଚିବ କେ. ଏସ୍. ଜବାହର ରେଡ୍ଡୀ ରବିବାର ସନ୍ଧ୍ୟାରେ କହିଛନ୍ତି। ଚିକିତ୍ସା ନିମନ୍ତେ ତାଙ୍କୁ ବିଜୟୱାଡ଼ାର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ହେଲେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ତରଫରୁ ଏ ସଂକ୍ରାନ୍ତରେ ଆନୁଷ୍ଠାନିକ ବିବୃତି ପ୍ରକାଶ ପାଇନାହିଁ।
ସୂଚନାଯୋଗ୍ୟ, କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ଏହି ୪ କର୍ମଚାରୀମାନଙ୍କର କୌଣସି ଭ୍ରମଣ ଇତିହାସ ନ ଥିବାରୁ ସେମାନେ କେମିତି ସଂକ୍ରମିତ ତାହା ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ଆଚମ୍ବିତ କରିଛି। କର୍ମଚାରୀ ସଂକ୍ରମିତ ହୋଇଥିବା ଘଟଣା ଜଣାପଡ଼ିବା ପରେ ରାଜ୍ୟପାଳଙ୍କ ସରକାରୀ ବାସଭବନ, ରାଜଭବନରେ ବିଶୋଧନ ଅଭିଯାନ ଆରମ୍ଭ ହୋଇଛି।