ଆସନ୍ତାକାଲି ବିହାରର ବିଧାନସଭା ନିର୍ବାଚନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି ବିହାରର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ୧୬ଟି ଜିଲ୍ଲାର ୭୧ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ମୋଟ୍ ୧ହଜାର ୬୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗତ ସନ୍ଧ୍ୟାରେ ଏଥିପାଇଁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଭୋଟ୍ ନିଆଯାଉଥିବା ଅଧିକାଂଶ ନିର୍ବାଚନ ମଣ୍ଡଳୀ ନକ୍ସଲ ଉପଦ୍ରୁତ ଅଞ୍ଚଳ ଓ ନିରାପତ୍ତା ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳରେ ପଡ଼ୁଛି। ଏହି ପର୍ଯ୍ୟାୟରେ ୨ କୋଟି ୧୪ ଲକ୍ଷରୁ ଅଧିକ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ।ଏହି ପର୍ଯ୍ୟାୟରେ ବିଜେପି ୨୯ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଜେଡିୟୁ ୩୫ଟି ଓ ହିନ୍ଦୁସ୍ତାନ ଆୱାମ୍ ମୋର୍ଚ୍ଚା ୬ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିକାଶଶୀଳ ଇନ୍ସାନ ପାର୍ଟିର ଜଣେ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ମହାମେଣ୍ଟରୁ ଆରଜେଡି ୪୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ କଂଗ୍ରେସ ୨୧ଟିରେ ଓ ସିପିଆଇ-ଏମଏଲ ୮ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଏଲଜେପି ଯେଉଁ ଆସନଗୁଡ଼ିକରୁ ପ୍ରତିଦ୍ୱନ୍ଦ୍ୱିତା କରୁନାହିଁ ସେଠାରେ ପାର୍ଟି ବିଜେପି ପ୍ରାର୍ଥୀମାନଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ପ୍ରେମ୍ କୁମାର, ରାମନାରାୟଣ ମଣ୍ଡଳ, ଜୟ କୁମାର ସିଂହ, କ୍ରିଷ୍ଣା ନନ୍ଦନ ବର୍ମା, ଶୈଳେଶ କୁମାର, ସନ୍ତୋଷ ନିରାଲା, ବିଜୟ କୁମାର ସିଂହ୍ନା ଓ ବ୍ରିଜ୍ କିଶୋର ବିନ୍ଦଙ୍କ ଭଳି ୮ ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କର ଏହି ପର୍ଯ୍ୟାୟରେ ରାଜନୈତିକ ଭାଗ୍ୟ ନିର୍ଦ୍ଧାରିତ ହେବ।