ବବିଙ୍କୁ କୃତଜ୍ଞତା ଜଣାଇଲେ ଭୁବନେଶ୍ୱର ସମସ୍ତ ଦୁର୍ଗା ପୂଜାକମିଟି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରୟାସରେ ଭୁବନେଶ୍ୱର ସମସ୍ତ ପୂଜାକମିଟି ସହ ଡିସିପିଙ୍କ ସଫଳ ଆଲୋଚନା । ଆଲୋଚନା ପରେ ବାହାରିଲା ସମାଧାନର ବାଟ । ସମସ୍ତ କମିଟି ମାନିବେ ସୁପ୍ରିମକୋର୍ଟ ଗାଇଡ଼ଲାଇନ । କିପରି ସୁରୁଖୁରୁରେ ସୁପ୍ରିମକୋର୍ଟ ଗାଇଡ଼ଲାଇନ ପାଳନ କରାଯିବ ତାହା ସାଧାରଣ ଜନତାଙ୍କୁ ମଧ୍ୟ ବୁଝାଇବେ । ସେହିପରି ଏଥର ଭସାଣି ସମୟରେ ପାରମ୍ପରିକ ବାଦ୍ୟକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ ।

ସୂଚନା ଅନୁଯାୟୀ, ଆଗକୁ ଆସୁଛି ଦୁର୍ଗାପୂଜା । ବିଗତ ଦୁଇବର୍ଷ ହେଲାଣି ମହାମାରୀ କରୋନା ପାଇଁ ସମସ୍ତ ପର୍ବପର୍ବାଣୀ ପ୍ରାୟତଃ ବନ୍ଦ ରହିଥିଲା । ମାତ୍ର ଚଳିତ ଦୁର୍ଗାପୂଜା ପୂର୍ବରୁ ସମସ୍ତ କୋଭିଡ କଟକଣା ଉଠିଯାଇଥିବାରୁ ସାଧାରଣ ଜନତାଙ୍କ ପରି ସମସ୍ତ ପୂଜା କମିଟି ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି । ଏହି ସମୟରେ କମିସନରେଟ ପୋଲିସ ପକ୍ଷରୁ କଟକଣା ଲାଗୁ ନେଇ କମିଟି ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହି ଅସନ୍ତୋଷକୁ ବିଧାୟକ ପ୍ରଣବ ପ୍ରକାଶ ଦାସ ହୃଦୟଙ୍ଗମ କରି କମିଟି ସଦସ୍ୟ ଏବଂ ଡିସିପିଙ୍କ ମଧ୍ୟରେ ଏକ ଆଲୋଚନା ଅନୁଷ୍ଠିତ କରାଇଥିଲେ । ଯାହାକି ସଫଳ ରହିଥିଲା । ସମସ୍ତ ଅସୁବିଧା ସମୟରେ ସଙ୍କଟ ମୋଚନ ଭାବେ ଉପସ୍ଥିତ ରହି ସମାଧାନ ବାଟ ବାହାର କରିପାରୁଥିବାରୁ ତାଙ୍କୁ ଦଳର କ୍ରାଇସିସ ମ୍ୟାନେଜର ବୋଲି ମଧ୍ୟ କୁହାଯାଏ । ଏଥର ମଧ୍ୟ ପୂଜାକମିଟି ସଦସ୍ୟଙ୍କ ଅସନ୍ତୋଷ ଦୂର କରି ବବି ପୁନର୍ବାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

ସୂଚନା ଥାଉକି, ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ କଟକଣା ଲାଗୁ କରାଯାଇଥିଲା । ବ୍ୟାଣ୍ଡ, ଡିଜେ ଓ ମ୍ୟୁଜିକ ପାର୍ଟି ପାଇଁ କଟକଣା ଲାଗୁ କରାଯାଇଥିଲା । ଲାଉଡ ସ୍ପିକର ସାଉଣ୍ଡ ୬୫ ଡେସିବିଲ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭସାଣିରେ ଗୋଟିଏ ବ୍ୟାଣ୍ଡ ଓ ଗୋଟିଏ ମ୍ୟୁଜିକ ପାର୍ଟିକୁ ଅନୁମତି ପ୍ରଦାନ କରାଯାଇଥିଲା। ଏଥିପାଇଁ କଟକ ଓ ଭୁବନେଶ୍ୱର ଡିସିପିଙ୍କ ଠାରୁ ଅନୁମତି ନେବାକୁ ପଡିବ । ଶୋଭାଯାତ୍ରାରେ ୬ଟି ଟ୍ରଲିକୁ ଅନୁମତି ମିଳିବ । ଅମାନ୍ୟକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଘୋଷଣା କରାଯାଇଥିଲା।

Leave a comment