ଭୁବନେଶ୍ୱରରେ ଖୋଲିଲା ସପିଂ ମଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭୁବନେଶ୍ୱରରେ ଆଜି ଖୋଲିଲା ସପିଂ ମଲ୍ । ରାଜଧାନୀର ୬ଟି ସପିଂ ମଲ ମଧ୍ୟରୁ ଆଜି ୩ଟି ଖୋଲିଛି । ଆସନ୍ତାକାଲି ଆଉ ୩ଟି ସପିଂ ମଲ୍ ଖୋଲିବ । ମଲ୍ ଖୋଲିବା ନେଇ ଭୁବନେଶ୍ୱର ମହାନଗର ନିଗମ ବିଜ୍ଞପ୍ତି ଜାରି କରି କେତେକ କଟକଣା ମଧ୍ୟ ଜାରି କରିଛି । ଏହାକୁ ସମସ୍ତ ସପିଂ ମଲ୍ ପାଳନ କରିବେ ।ମଲ୍ ମଧ୍ୟରେ ଥିବା ସିନେମା ହଲ୍, ଫୁଡ୍ କୋର୍ଟ, ଗେମ୍ ଜୋନ୍ ଓ ପିଲାଙ୍କ ଖେଳିବା ସ୍ଥାନ ବନ୍ଦ ରହିବ । ମଲ୍ ପରିସରରେ ଲୋକ ଭିଡ୍ କମାଇବାକୁ ଗୁରୁତ୍ୱ ଦିଆଯାଇଛି । ତେଣୁ ଏହି ସ୍ଥାନରେ କୌଣସି ପ୍ରକାର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ କରାଯିବ ନାହିଁ । ମଲ୍ ଭିତରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି ।
ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ଅତିକମ୍ ରେ ୬ ଫୁଟ୍ ଦୂରତାକୁ ବାଧ୍ୟତା ମୂଳକ କରାଯାଇଛି । ସମସ୍ତେ ମାସ୍କ ପିନ୍ଧିବାକୁ ମଲ୍ କର୍ତୃପକ୍ଷ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ଏହା ସହ ବାରମ୍ବାର ହାତ ଧୋଇବା ନିୟମ କଡାକଡି ପାଳନ କରିବାକୁ କୁହାଯାଇଛି । ମଲରେ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବ ।