ଫରାଜ୍ ଖାନ୍ଙ୍କୁ ସହାୟତାର ହାତ ବଢ଼ାଇଲେ ଭାଇଜାନ୍
ପୂର୍ବତନ ଅଭିନେତା ଫରାଜ୍ ଖାନ୍ ମସ୍ତିସ୍କ ସଂକ୍ରମଣ ଓ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ବେଙ୍ଗାଲୁରୁର ଏକ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ସେ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ଭାଇଜାନ୍ ସଲ୍ମାନ୍ ଖାନ୍ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସେ ଫରାଜ୍ଙ୍କର ହସ୍ପିଟାଲ୍ର ସମସ୍ତ ବିଲ୍ ପୈଠ କରିଥିବା ଜଣାପଡ଼ିଛି। ଏନେଇ ହାସ୍ୟାଭିନେତା କ୍ରିଷ୍ଣା ଅଭିଷେକଙ୍କ ପତ୍ନୀ ତଥା ଅଭିନେତ୍ରୀ କାଶ୍ମୀରା ଶାହ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
କାଶ୍ମୀରା ନିଜ ପୋଷ୍ଟରେ ଲେଖିଛନ୍ତି, ଆପଣ ମହାନ ସାର୍। ଫରାଜ୍ଙ୍କ ସେବାଯତ୍ନ କରିବା ତଥା ହସ୍ପିଟାଲ୍ ବିଲ୍ ପୈଠ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ଆପଣ ସବୁବେଳେ ଅସୁବିଧାରେ ପଡ଼ିଥିବା ଲୋକଙ୍କ ସହ ଠିଆ ହେବା ସହ ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ଏଥିପାଇଁ ମୁଁ ସବୁବେଳେ ଆପଣଙ୍କ ଜଣେ ବଡ଼ ପ୍ରଶଂସକ ହୋଇରହିବି। ଯେଉଁମାନଙ୍କୁ ମୋ ପୋଷ୍ଟ ଭଲ ନ ଲାଗିବ ସେମାନେ ମତେ ଅନ୍ଫଲୋ କରିପାରନ୍ତି। କିନ୍ତୁ ମୁଁ ନିହାତି ଭାବେ କହିବି ଯେ, ଆପଣ ବଲିଉଡ୍ର ସବୁଠାରୁ ସଚ୍ଚା ମଣିଷ ବୋଲି କାଶ୍ମୀରା ନିଜ ପୋଷ୍ଟ୍ରେ ଉଲ୍ଲେଖ କରିଛନ୍ତି।