ପୁଣି ବୁଡ଼ିଲା ଇସ୍କନ ମନ୍ଦିର ଅଞ୍ଚଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ । ଉତ୍ତରପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି । ତେବେ ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ସ୍ଥାନରେ ବର୍ତ୍ତମାନ ସମୟରେ ପ୍ରବଳ ପାଣି ଜମିରହିଥିବା ଦେଖିବାକୁ ମିଳିଛି ।ବିଶେଷ କରି ରାଜଧାନୀର ଇସ୍କନ ମନ୍ଦିର ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି । ପୂର୍ବରୁ ମଧ୍ୟ ଅସରାଏ ବର୍ଷାରେ ଏହି ସ୍ଥାନ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯିବାର ନଜିର ରହିଛି । ରାସ୍ତା କଡରେ ଛିଡା ହୋଇରହିଥିବା ଗାଡି ଗୁଡିକ ଅଧା ବୁଡି ହୋଇରହିଥିବା ବେଳେ, ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଛି ।
ତେବେ ଲଘୁଚାପ ପ୍ରଭାବରେ ପାରଦୀପରେ ସର୍ବାଧିକ ୧୨୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଜଗତସିଂହପୁରରେ ୧୦୨ ମିଲିମିଟର, ଯାଜପୁରର ବରୀରେ ୮୪ ମିଲିମିଟର, କେନ୍ଦ୍ରାପଡାର ଡେରାବିଶରେ ୭୬ ମିଲିମିଟର, ରାୟଗଡା, ସୁନ୍ଦରଗଡ ଓ କଳାହାଣ୍ଡିରେ ୭୦ ମିଲିମିଟରରୁ ଅଧିକ, କୋରାପୁଟର କୋଟପାଡ, ପୁରୀର ଅସ୍ତରଙ୍ଗଠାରେ ୭୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । କଟକ ଓ ଭୁବନେଶ୍ୱରରେ ଘଡଘଡି ସହ ବର୍ଷା ନେଇ ସତର୍କ କରାଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏପରିକି ପ୍ରବଳ ବର୍ଷା ଫଳରେ ଟ୍ରାଫିକ୍ ଜାମ ଓ ବର୍ଷା ପାଣି ଜମିବା ଆଶଙ୍କା ଥିବାରୁ ଏଥିପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ।