ବରଗଡ଼ ଧନୁଯାତ୍ରାକୁ ମିଳୁ ଜାତୀୟ ମହୋତ୍ସବର ମାନ୍ୟତା: ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଗତକାଲି କେନ୍ଦ୍ର ସରକାରଙ୍କ ଆଗରେ ବରଗଡ଼ ଧନୁଯାତ୍ରାକୁ ଜାତୀୟ ମହୋତ୍ସବର ମାନ୍ୟତା ପ୍ରଦାନ କରିବା ସହ ଆବଶ୍ୟକୀୟ ଆର୍ଥିକ ସହାୟତା ଦେବା ପାଇଁ ଦାବି କରିଥିଲେ। ଶ୍ରୀ ଆଚାର୍ଯ୍ୟ କହିଥିଲେ, ୧୯୮୪ ମସିହାରୁ ଧନୁଯାତ୍ରା ଖୋଲାମଞ୍ଚରେ ପ୍ରଶିକ୍ଷିତ କଳାକାରମାନଙ୍କ ଦ୍ବାରା ପ୍ରଦର୍ଶିତ ହେଉଛି। ଏହା ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ । ଏହି ଖୋଲା ରଙ୍ଗମଞ୍ଚରେ ପ୍ରଦର୍ଶିତ ଧନୁଯାତ୍ରା ଉତ୍ସବକୁ ଦେଖିବାକୁ କେବଳ ଦେଶ ନୁହେଁ ଦେଶ ବାହାରୁ ମଧ୍ୟ ପର୍ଯ୍ୟଟକ ଆସୁଛନ୍ତି ।

ସୂଚନା ଅନୁଯାୟୀ, ପୌରାଣିକ ଏବଂ ସାଂସ୍କୃତିକ ଏହି ବିଶାଳ କାର୍ଯ୍ୟକ୍ରମର ପଶ୍ଚିମ ଓଡ଼ିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । କେନ୍ଦ୍ର ସରକାରଙ୍କ ତରଫରୁ ଏହାକୁ ଜାତୀୟ ମହୋତ୍ସବର ମାନ୍ୟତା ପ୍ରଦାନ କରିବା ସହିତ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଗଲେ ଏହାର ଅଧିକ ପ୍ରଚାର ପ୍ରସାର ହୋଇ ପାରିବ । ଯାହାର ଫଳ ସ୍ୱରୂପ ଅଧିକ ରୁ ଅଧିକ ବିଦେଶୀ ପର୍ଯ୍ୟଟକ ଏହାକୁ ଉପଭୋଗ କରିବା ସହ ଆମ ସଂସ୍କୃତି ସହ ଜଡିତ ହେବେ ।

Leave a comment