ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଙ୍ଗଲୀ ଜନ୍ତୁ ସାଳିଆପତନିକୁ ମାରିଦେଲେ । ଆଉ ମାଂସ ଭାଗ ବଣ୍ଟା ବିବାଦରୁ ଘଟିଲା ହତ୍ୟାକାଣ୍ଡ । କଟୁରୀ ଚୋଟରେ ଜଣଙ୍କର ପ୍ରାଣ ଗଲା । ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କଲା । ତଥାପି ସ୍ଥାନୀୟ ହିନ୍ଦୋଳ ବନ କର୍ମଚାରୀମାନେ ଟେର ପାଇଲେନି । ଏହାର ସୁଯୋଗରେ ଜଙ୍ଗଲ ଜନ୍ତୁ ଶିକାର କରିଥିବା ଉଭୟ ଅଭିଯୁକ୍ତ ଓ ମୃତକ ପରିବାର ଛୁ ମାରିଲେ । ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କାଠ କୁମ୍ପା ଗ୍ରାମରେ ।
ସୂଚନାଯୋଗ୍ୟ ଯେ, ହିନ୍ଦୋଳ ଅନ୍ତର୍ଗତ ରାସୋଳ ଥାନା କାଠକୁମ୍ପା ଗାଁରେ ଯାଯାବର ଭାବେ ରହି ମହୁ ସଂଗ୍ରହ କରି ବିକ୍ରି କରୁଥିବା ମଲ୍ଲାର ସମ୍ପ୍ରଦାୟର ଦୁଇ ପରିବାର ମଧ୍ୟରେ ଏକ ଜଙ୍ଗଲୀ ଜନ୍ତୁ ମାଂସ ଭାଗବଣ୍ଟାକୁ ନେଇ ଘଟିଛି ଏହି ହତ୍ୟାକାଣ୍ଡ । ଜଙ୍ଗଲରୁ ଏକ ସାଳିଆପତନିକୁ ମାରି ଉଭୟ ପରିବାର ମଧ୍ୟରେ ମାଂସ ଭାଗ ବଣ୍ଟା କରୁଥିଲେ। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ଗୋଟିଏ ପରିବାରର ବିରଞ୍ଚି ବେହେରା ନାମକ ଜଣେ ଯୁବକ କଟୁରୀରେ ଅନ୍ୟ ପରିବାରର କୁମ୍ଭ ବେହେରାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ କୁମ୍ଭଙ୍କର ମୃତ୍ୟୁ ଘଟିଥିଲା ।
ଗ୍ରାମବାସୀଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ରାସୋଳ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ମାତ୍ର ଏ ସମ୍ପର୍କରେ ସ୍ଥାନୀୟ ହିନ୍ଦୋଳ ରେଞ୍ଜର ବନ କର୍ମଚାରୀମାନେ ଜାଣି ପାରିନଥିଲେ । ଫଳରେ ଜଙ୍ଗଲ ଜନ୍ତୁ ଶିକାର କାର୍ଯ୍ୟାନୁଷ୍ଠାନ ଭୟରେ ଉଭୟ ଅଭିଯୁକ୍ତ ଓ ମୃତକ ପରିବାର ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ ପରେ ହିନ୍ଦୋଳ ରେଞ୍ଜ ପକ୍ଷରୁ ଜଙ୍ଗଲ ଜନ୍ତୁ ସୁରକ୍ଷା ଆକ୍ଟରେ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତମାନେ ଛୁ ମାରିଥିବା ଜଣାପଡିଛି ।