ରେସଲିଂରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ପହିଲିମାନ ବଜରଙ୍ଗ ପୁନିଆ ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି । ବ୍ରୋଞ୍ଜ ପଦକ ଜିତି ଦେଶର ନାଁ ରଖିଦେଇଛନ୍ତି ପୁନିଆ। ବଜରଙ୍ଗ ଫ୍ରିଷ୍ଟାଇଲ୍‌ ରେସଲିଂ ୬୫ କିଗ୍ରା ବର୍ଗରେ ୮-୦ରେ ବିଜୟୀ ହୋଇଛନ୍ତି। ସେ କଜାକସ୍ତାନର ପହିଲିମାନଙ୍କୁ ହରାଇ ମେଡାଲ ନିଜ ନାଁରେ କରିଛନ୍ତି । ପଦକ ଜିତିବା ପରେ ସାରା ଭାରତରେ ଏବେ ଉତ୍ସବ ପାଳନ କରାଯାଉଛି। ସେପଟେ ପ୍ରଥମ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ଜାଭେଲିନ୍‌ ଫିଙ୍ଗାଳୀ ନୀରଜ ଚୋପ୍ରା। କିନ୍ତୁ ଅଲିମ୍ପିକ୍‌ରେ ପହଞ୍ଚିବା ପାଇଁ କିଏ କେତେ ଯେ କଷ୍ଟ ସହିଛନ୍ତି ତାର ହିସାବ ନାହିଁ। ସେମାନଙ୍କ ମଧ୍ୟରେ ବଜରଙ୍ଗ ପୁନିଆ ମଧ୍ୟ ବାଦ ପଡ଼ିନାହାନ୍ତି ।

ବଜରଙ୍ଗଙ୍କ ପାଇଁ ତାଙ୍କ ବାପା ଅମାପ ତ୍ୟାଗ କରିଛନ୍ତି । ସେ ମେଡାଲ ଜିତିବେ ବୋଲି ତାଙ୍କ ମା ବ୍ରତ ରଖିଥିବା ବେଳେ ତାଙ୍କ ବାପା ବଲବାନ ପୁନିଆଙ୍କ ଦୃଢ଼ ବିଶ୍ବାସ ଥିଲା ପୁଅ ଅଲିମ୍ପିକ୍‌ରୁ ନିଶ୍ଚିତ ମେଡାଲ ଆଣିବ। ବଜରଙ୍ଗକୁ ଅଲିମ୍ପିକ ମେଡାଲ ବିଜେତା କରିବାକୁ ତାଙ୍କ ବାପ ବଲବାନଙ୍କ ବଡ଼ ଭୂମିକା ରହିଛି । ବଜରଙ୍ଗ ୭ ବର୍ଷର ହୋଇଥିବା ବେଳେ ତାଙ୍କ ବାପା ତାଙ୍କୁ ପହିଲିମାନ କରିବାକୁ ସ୍ଥିର କରିନେଇଥିଲେ । ବଲବାନ ପୁନିଆ ପୁଅକୁ ରେସଲର କରିବାକୁ ସହରରେ ଛାଡ଼ିଆସିଥିଲେ । ଝଜରର ଖୁଦାନ ଗାଁରେ ଜନ୍ମ ଗ୍ରହଣ କରିଥିବା ବଜରଙ୍ଗଙ୍କୁ ତାଙ୍କ ପିଲା ଦିନରୁ ଆଖଡ଼ାରେ ଛାଡ଼ିଥିଲେ ।

ବଜରଙ୍ଗଙ୍କ ପିତା ଜଣେ ଜଣାଶୁଣା ପହିଲିମାନ ଥିଲେ । କିନ୍ତୁ ଗରିବୀ କାରଣରୁ କୁସ୍ତିରେ କ୍ୟାରିୟର କରିପାରିଲେ ନାହିଁ । ତେବେ ବଲବାନ ନିଜ ପୁଅଙ୍କୁ ଟ୍ରେନିଂ ଦେବାକୁ ଝଜରର ସୋନୀପତ ପଠାଇବାକୁ ଯୋଜନା କରିଥିଲେ । ବଜରଙ୍ଗ ଛୋଟ ବେଳେୁ ଗରିବୀରେ ବଞ୍ଚିଆସିଥିଲେ । ବଲବାନ ପୁନିଆଙ୍କ ପାଖରେ ପୁଅକୁ ଘିଅ ଖାଇବାକୁ ଦେବାକୁ ସମ୍ବଳ ମଧ୍ୟ ନଥିଲା। କିନ୍ତୁ ପୁଅର ଖାଇବା ପାଇଁ ବାପା ବଲବାନ ବସ୍‌ରେ ଯିବା-ଆସିବା କରିବା ବନ୍ଦ କରିଦେଇଥିଲେ। ଦୂର ବାଟ ଯିବାକୁ ସାଇକେଲ୍‌ ବ୍ୟବହାର କରୁଥିଲେ।

ଏଭଳି ପରିସ୍ଥିତିରେ ବି ବଜରଙ୍ଗ ହାର ମାନି ନଥିଲେ ଏବଂ ଆଜି ସେ ଅଲିମ୍ପିକ୍‌ ମେଡାଲିଷ୍ଟ ହୋଇଛନ୍ତି। ଅଲିମ୍ପିକ୍‌ରେ ବ୍ରୋଞ୍ଜ ମେଡାଲ ଜିତିଥିବା ବଜରଙ୍ଗଙ୍କ ଗୁରୁ ଯୋଗେଶ୍ବର ଦତ୍ତ ମଧ୍ୟ ଅଲିମ୍ପିକ୍‌ରେ କାଂସ୍ୟ ପଦକ ଜିତିଥିଲେ । ୨୦୧୩ରୁ ବଜରଙ୍ଗ ରେସଲିଂରେ ବିଶ୍ବରେ ପରିଚିତ ହୋଇଥିଲେ। ବଜରଙ୍ଗ ପୁନିଆ ଓ୍ବାର୍ଲଡ୍‌ ଚାମ୍ପିୟନସିପ୍‌(୨୦୧୩) ରେ ବ୍ରୋଞ୍ଜ, ଏସିଆନ୍‌ ରେସଲିଂ ଚାମ୍ପିୟନସିପ୍‌ରେ ବ୍ରୋଞ୍ଜ ମେଡାଲ୍‌ ଜିତିଥିଲେ ।

ଏହା ପରେ ଏସିଆନ୍‌ ଗେମ୍ସ (୨୦୧୪) ରେ ବଜରଙ୍ଗ ସିଲଭର ମେଡାଲ ଜିତିଥିଲେ । ୨୦୧୮ର ହୋଇଥିବା କମନଓ୍ବେଲ୍ଥ ଗେମ୍ସ ଏବଂ ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିଣିଥିଲେ । ଏହା ପରେ ସେ ଅଲିମ୍ପିକ୍‌ରେ ମଧ୍ୟ ସ୍ବର୍ଣ୍ଣ ଜିତିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସେ ସେମିଫାଇନାଲ୍‌ରେ ପରାସ୍ତ ହେବା ପରେ ଗୋଲ୍ଡ ମେଡାଲ୍‌ ଆଶା ମଉଳିଥିଲା । ତେବେ ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ବଜରଙ୍ଗ ଏକତରଫା ଜିତି ଦେଶର ଟେକ ରଖିଦେଇଛନ୍ତି ।

Leave a comment