ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି କେନ୍ଦ୍ର । ଏ ନେଇ ମଙ୍ଗଳବାର ସଚିବାଳୟରେ ଆୟୁଷ୍ମାନ ଭାରତ ଯୋଜନାର ସିଇଓ ଇନ୍ଦୁଭୂଷଣଙ୍କ ନେତୃତ୍ୱରେ ୫ ଜଣିଆ ପ୍ରତିନିଧି ଦଳ ସ୍ବାସ୍ଥ୍ୟ ନବକିଶୋର ଦାସଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ’ ଯୋଜନା ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଛି । ଆଲୋଚନା ପରେ ସ୍ବାସ୍ଥ୍ୟମନ୍ତ୍ରୀ ଦାସ କହିଛନ୍ତି ଯେ, ପ୍ରାଥମିକ ପର୍ଯ୍ୟାୟରେ ଆଲୋଚନା ଶେଷ ହୋଇଛି । ଏ ନେଇ ଆଉ ୨-୩ଥର ଆଲୋଚନା କରାଯିବ । ଏହାଦ୍ବାରା ରାଜ୍ୟ ଯଦି ବିଶେଷ ଭାବେ ଉପକୃତ ହୋଇପାରିବ ତାହା ହେଲେ ବିଚାର କରାଯିବ ବୋଲି ମନ୍ତ୍ରୀ ଦାସ କହିଛନ୍ତି ।

ଏହି କେନ୍ଦ୍ରୀୟ ଦଳ ପ୍ରଥମେ ମୁଖ୍ୟ ଶାସନସଚିବ ଆଦିତ୍ୟ ପାଢ଼ୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ସଚିବାଳୟଠାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କାଳରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା, କେନ୍ଦ୍ରରୁ ଆସିଥିବା ମନୁ ଶୁକ୍ଲା, ଅଦିତି ଭାର୍ଗବ, ଆସ୍ଥା ଆରୋରା ଓ ରୋହିତ ଦେଓ ଝାଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment