ଅଗଷ୍ଟ ୨୨ ଭିତରେ ମାଟ୍ରିକ ଅଫଲାଇନ ରେଜଲ୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜୁଲାଇ ୩୦ରୁ ଆରମ୍ଭ ହେବ ମାଟ୍ରିକ ଅଫ ଲାଇନ ପରୀକ୍ଷା। ବିନା ମାସ୍କରେ ପରୀକ୍ଷା ଦେଇ ପାରିବେନି ଛାତ୍ର-ଛାତ୍ରୀ। ଏଥିସହ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ବାଧ୍ୟତାମୂଳକ। ପରୀକ୍ଷା କେନ୍ଦ୍ରରେ ସ୍ଵତନ୍ତ୍ର ଆଇସୋଲେସନ ରୁମ ରହିବ। ପରୀକ୍ଷା ପୂର୍ବରୁ ଏବଂ ସରିବା ପରେ ଗୃହକୁ ସାନିଟାଇଜ୍ କରାଯିବ। ଅଗଷ୍ଟ ୧୦ରୁ ୧୫ ମଧ୍ୟରେ ପରୀକ୍ଷା ଖାତା ମୂଲ୍ୟାୟନ ହେବ। ଅଗଷ୍ଟ ୨୨ ମଧ୍ୟରେ ରେଜଲ୍ଟ ବାହାରିବ। ଏନେଇ ଶନିବାର ବଡ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ। ଏଥିସହ ଏଣିକି ଏଣିକି ସିବିଏସଇ ଢାଞ୍ଚାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମୂଲ୍ୟାୟନ କରାଯିବ ବୋଲି ସଚିବ କହିଛନ୍ତି।
ଗଣଶିକ୍ଷା ସଚିବ ସତ୍ୟବ୍ରହ ସାହୁ କହିଛନ୍ତି, ମାଟ୍ରିକ ପରୀକ୍ଷା ପାଇଁ ୧୫,୧୧୫ ଜଣ ଫର୍ମ ପୂରଣ କରିଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୩୧୫ ଫର୍ମ ପୁରଣ ହୋଇଛି। ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବ। କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ମାଟ୍ରିକ ପରୀକ୍ଷା ହେବ। ପରୀକ୍ଷା ଦାୟିତ୍ଵରେ ଥିବା ସବୁ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯିବ।
ଜୁଲାଇ ୩୦ରେ ଅଫଲାଇନରେ ମାଟ୍ରିକ୍ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି । ଜୁଲାଇ ୩୦ରୁ ଆରମ୍ଭ ହୋଇ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ । ଜୁଲାଇ ୩୦ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ । ସେହିପରି ଜୁଲାଇ ୩୧ ତାରିଖରେ ଦ୍ବିତୀୟ ଭାଷା, ଅଗଷ୍ଟ ୨ ତାରିଖରେ ଗଣିତ, ୩ ତାରିଖରେ ସାଧାରଣ ବିଜ୍ଞାନ, ୪ ତାରିଖରେ ସାମାଜିକ ବିଜ୍ଞାନ ଓ ୫ ତାରିଖରେ ତୃତୀୟ ଭାଷା ପରୀକ୍ଷା ହେବ। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବ । କେବଳ ଗଣିତ ପାଇଁ ୧୫ ମିନିଟ୍ ଅଧିକ ସମୟ ଦିଆଯିବ।