ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କର ବିଭିନ୍ନ ଶିଳ୍ପାନୁଷ୍ଠାନମାନଙ୍କ ସହ ଡ଼ିଜିଟାଲ୍ ମୋଡ଼ରେ ଆଲୋଚନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ କୋଭିଡ଼୍ ପ୍ରତିରୋଧ ଓ ଚିକିତ୍ସା ନିମନ୍ତେ ସରକାରଙ୍କ ଦ୍ୱାରା ବ୍ୟାପକ ‘ତ୍ରି-ସ୍ତରୀୟ’ ବ୍ୟବସ୍ଥା ସୃଷ୍ଟି କରାଯାଇଛି ।
ଏଗୁଡିକ ହେଲା କୋଭିଡ଼୍ କେୟାର ସେଣ୍ଟର, କୋଭିଡ଼୍ ହେଲଥ୍ ସେଣ୍ଟର ଏବଂ ସ୍ୱତନ୍ତ୍ର କୋଭିଡ଼୍ ହସ୍ପିଟାଲ୍ । ଲକ୍ଷଣ ବିହୀନ ବା ସାମାନ୍ୟ ଲକ୍ଷଣ ଯୁକ୍ତ ବ୍ୟକ୍ତିଙ୍କର ଯତ୍ନ କୋଭିଡ଼୍ କେୟାର ସେଣ୍ଟରେ ନିଆଯାଏ । ଲକ୍ଷଣହୀନ ବ୍ୟକ୍ତିଙ୍କୁ ସେମାନଙ୍କ ଘର ଏବଂ ସାମାଜିକ ପରିବେଶରୁ ଅଲଗା କରିବା ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଖରାପ ପ୍ରଭାବ ପକାଇପାରେ । ଏହାକୁ ବିଚାରକୁ ନେଇ ସରକାର ‘ହୋମ୍ କେୟାର’ ଏବଂ ନିଜ ପରିବେଶରେ ଆନୁଷ୍ଠାନିକ କେୟାର ପାଇଁ ଅନୁମତି ଦେବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ।
ଏହି ଦୃଷ୍ଟିରୁ ଶିଳ୍ପାନୁଷ୍ଠାନମାନେ ନିଜ ନିଜ ସୁବିଧାରେ ନିଜର କର୍ମଚାରୀମାନଙ୍କ ପାଇଁ କୋଭିଡ଼୍ କେୟାର ସେଣ୍ଟର ପ୍ରତିଷ୍ଠା କରିବା ଭଲହେବ ବୋଲି ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ ।