ବର୍ଷା ଦିନ ଯୋଗୁ ଘରେ କୀଟପତଙ୍ଗ ପଶିବା ନେଇ ଚିନ୍ତିତ କି ? ତେବେ ଏହି ଉପାୟ ଦ୍ୱାରା ଘରକୁ ରଖିପାରିବେ ସୁରକ୍ଷିତ
ଆରମ୍ଭ ହେଲାଣି ମୌସୁମୀ । ଆଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା । ବର୍ଷାଦିନ ପରିବେଶ ସନ୍ତୁଳନରେ ଅନେକ ସାହାଯ୍ୟ କରୁଥିଲେ ମଧ୍ୟ ଏହିଦିନ ସମସ୍ତଙ୍କ ଚିନ୍ତାର କାରଣ ପାଲଟେ କୀଟପତଙ୍ଗ । ଏପରିକି ଅନେକ ସମୟରେ ଖାଦ୍ୟପେୟରେ ମଧ୍ୟ ଏମାନେ ପଡ଼ିଯାଆନ୍ତି । ତେଣୁ ବର୍ଷାଦିନେ ଘରେ ଏମାନଙ୍କ ପ୍ରବେଶକୁ ବାରଣ କରିବାକୁ ରହିଛି କିଛି ଘରୋଇ ଉପାୟ ।
ପୋଦିନା ପତ୍ର- ପୋଦିନା ପତ୍ରକୁ ଛେଚି ପାଣିରେ ମିଶାଇ ଏହାକୁ ରୋଷେଇ ଘରର ପ୍ରତ୍ୟେକ କୋଣରେ ସ୍ପ୍ରେ କରନ୍ତୁ । ଏହାର ଗନ୍ଧରେ ପିମ୍ପୁଡ଼ି, ବୁଢ଼ିଆଣୀ, ମଶା ଆଦି ଦୂରେଇ ଯାଆନ୍ତି ।
ତୁଳସୀ ପତ୍ର- ତୁଳସୀ ପତ୍ରକୁ ପାଣିରେ ଫୁଟାଇ ଏହାକୁ ଛାଣି ଏକ ସ୍ପ୍ରେ ବୋତଲରେ ରଖନ୍ତୁ । ଏହାକୁ ଘରେ କିମ୍ୱା ରୋଷେଇ ଘରେ ସ୍ପ୍ରେ କରନ୍ତୁ । ଏହା ବ୍ୟତୀତ ଛୋଟିଆ କୁଣ୍ଡରେ ତୁଳସୀ ଗଛ ଲଗାଇ ଏହାକୁ ରୋଷେଇ ଘରେ ରଖିପାରିବେ । ଫଳରେ ଘରେ କୀଟପତଙ୍ଗ ପ୍ରବେଶ କରିବେନାହିଁ ।
ତେଜପତ୍ର- ଡବାରେ ଅଟା, ଚାଉଳ ଆଦି ସାମଗ୍ରୀ ସହିତ କିଛି ତେଜପତ୍ର ରଖନ୍ତୁ । ଏହାର ଗନ୍ଧରେ କୀଟ ଆସନ୍ତି ନାହିଁ । ଗୋଟିଏ ଛୋଟ ଗିନା ବା ଗିଲାସରେ କିଛି ବୁନ୍ଦା ଆପଲ୍ ସାଇଡର, ସାବୁନ୍ ପାଣି ଭରି ନିଅନ୍ତୁ । ଏହି ପ୍ରତି ମାଛିକୁ ଆକର୍ଷିତ କରେ । ଘରେ କିମ୍ୱା ରୋଷେଇ ଘରେ ଏହାକୁ ରଖିଲେ ଏଥିରେ ମାଛି ଅଠା ଭଳି ଲାଗିଯାନ୍ତି । ପରେ ଏହି ପାଣିକୁ ଫୋପାଡ଼ି ଦିଅନ୍ତୁ ।
କାକୁଡ଼ି- ପିମ୍ପୁଡ଼ିମାନେ କାକୁଡ଼ିର ଗନ୍ଧ ସହ୍ୟ କରିପାରନ୍ତି ନାହିଁ । ଯେଉଁଠାରେ ଅଧିକ ପିମ୍ପୁଡ଼ି ହେଉଛନ୍ତି, ସେଠାରେ କିଛି କାକୁଡ଼ି ଖଣ୍ଡ ରଖିଦେଲେ ଘରୁ ପିମ୍ପୁଡ଼ି ପଳାନ୍ତି ।
ଲକ୍ଷ୍ମଣ ରେଖା- ଘରର କବାଟ ଓ ଝରକା କୋଣରେ ଲକ୍ଷ୍ମଣ ରେଖା ଟାଣନ୍ତୁ । ଫଳରେ ଘରେ ପିମ୍ପୁଡ଼ି ପ୍ରବେଶ କରିପାରିବେ ନାହିଁ ।