ସୌମ୍ୟଙ୍କୁ ଡରୁଛନ୍ତି କି ନବୀନ ଓ ପାଣ୍ଡିଆନ ? ସୌମ୍ୟ ଏବେ ତଣ୍ଟିର କଣ୍ଟା ନା’ ଢ଼ୋକି ହେଉଛି ନା’ କାଢି ହେଉଛି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୌମ୍ୟ ବାବୁ ବାରମ୍ବାର ଲେଖୁଥିବା ସମ୍ପାଦକୀୟ ନବୀନ ଏବଂ ତୃତୀୟ ମହଲା ପାଇଁ ଅଡୁଆ ବଢାଇଲାଣି । ବର୍ତ୍ତମାନ ସୌମ୍ୟ ବାବୁ ବିଜେଡି ତଂଟିରେ ଲାଗିଥିବା କଣ୍ଟା ସଦୃଶ୍ୟ ହୋଇଗଲେଣି । ନା’ ବିଜେଡି ସୌମ୍ୟଙ୍କ ମନ୍ତବ୍ୟକୁ ଢ଼ୋକି ପାରୁଛି ନା’ ତାଙ୍କୁ ଦଳରୁ ବହିଷ୍କୃତ କରିପାରୁଛି । ତାଙ୍କ ମନ୍ତବ୍ୟକୁ ଦଳ ତଳ ସ୍ତରର କର୍ମୀ ସମର୍ଥନ କରୁଥିବା ଶ୍ରୀ ପଟ୍ଟନାୟକ ସ୍ପଷ୍ଟ ଭାବରେ କହୁଛନ୍ତି । ନିର୍ବାଚନ ଆସି ଦୁଆର ମୁହଁରେ ପହଁଚିଲାଣି । ଯଦି ବର୍ତ୍ତମାନ ପରିସ୍ଥିତିରେ ସୌମ୍ୟଙ୍କୁ ଦଳରୁ ବହିଷ୍କାର କରାଯାଏ ଏହା ଦଳ ପାଇଁ ଭାରି ପଡିବା ସମ୍ଭାବନାକୁ ନେଇ ବିଜେଡି ଚିନ୍ତାରେ । ସୌମ୍ୟଙ୍କ ବିରୁଦ୍ଧରେ କ’ଣ କରାଯାଇ ପାରିବ ଏହାକୁ ନେଇ ଘନଘନ ବୈଠକ ଚାଲୁଥିଲେ ମଧ୍ୟ ପଦକ୍ଷେପ ନେବାକୁ ଡରୁଛି ଦଳ । ତେଣୁ ଏଭଳି ପରିସ୍ଥିତି ଦେଖି ଅନେକ ରାଜନୈତିକ ବିଶେଷଜ୍ଞ ଅନେକ ମତ ଦେଲେଣି କିଏ କହୁଛନ୍ତି, “ବିଜେଡି ଦଳ ତିଆରି କରିଥିବା ଲୋକଙ୍କୁ ଚକ୍ରାନ୍ତ କରି ଦଳରୁ ବାହାର କରି ଦିଆଯାଇଛି ତ’ ଆଉ କିଛି ପରଲୋକରେ । ଯିଏ ଦଳକୁ କ୍ଷମତା ଲୋଭରେ ଆସିଛନ୍ତି ଏବେ ସେମାନେ ବହୁତ ଡେଉଁଛନ୍ତି” ।
ସେହିପରି ଆଉ କିଏ କହୁଛନ୍ତି, “ଦଳରେ ଥିବା କିଛି ନେତାଙ୍କୁ ବାଧ୍ୟ କରାଯାଉଛି ସୌମ୍ୟଙ୍କୁ ଟାର୍ଗେଟ କରିବାକୁ” । ଯାହା ଆଜି ସାମ୍ବାଦିକ ସମ୍ବିଳନୀରେ ଖଣ୍ଡପଡା ବିଧାୟକ ବିଜେଡି ସୌମ୍ୟ ପଟ୍ଟନାୟକ ମଧ୍ୟ କହିଛନ୍ତି ।
ସୂଚନା ଅନୁଯାୟୀ, ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ନନ୍ଦିଘୋଷ ଟିଭିର ଏକ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, “ବିଜେଡି କାହାର ପୈତୃକ ସମ୍ପତ୍ତି ନୁହେଁ। ବିଜେଡ଼ିକୁ ଦୁଇ ଚାରି ଜଣ ଆଇଏଏସ୍ ଅଫିସର କାହିଁକି ପରିଚାଳନା କରିବେ। ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ମୁଁ ଚେଷ୍ଟା କରିଛି, ହେଲେ ସୁଯୋଗ ମିଳିନାହିଁ । ଆପଣ ତ ସରକାରଙ୍କର ଗେଲ୍ହା ସାମ୍ବାଦିକ । ଆପଣ ଥରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରିବାକୁ ଚେଷ୍ଟା କରି ଦେଖିବାକୁ ଉକ୍ତ ସାମ୍ବାଦିକଙ୍କୁ ଆହ୍ଵାନ ଦେଇଥିଲେ” ।
ସେହିପରି ଶକ୍ତି ମନ୍ତ୍ରୀ ପ୍ରତାପଦେବ ଦଳୀୟ ଫୋରମରେ ନ ରହି ସମ୍ପାଦକୀୟ ଲେଖିବା ଉଚିତ ବୋଲି ଦେଇଥିବା ମନ୍ତବ୍ୟ ପରିପେକ୍ଷରେ ସୌମ୍ୟ କହିଛନ୍ତି ଯେ, ମୁଁ ଦଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଲେଖୁଛି। ସେଥିରେ କିଛି ଅନୁଶାସନ ହୀନ କାର୍ଯ୍ୟ ନାହିଁ। ବିଜେଡି ଏତେ କ୍ଷମତା, ସଦିଚ୍ଛା ପାଇବା ପରେ କାହାକୁ ଡରୁଛି। ବିଜେଡି ନିରଙ୍କୁଶ କ୍ଷମତା ପାଇବା ପରେ କାହିଁକି ଏମିତି ହେଉଛି।
ମୁଖ୍ୟମନ୍ତ୍ରୀଙ୍କ ଗ୍ରହଣୀୟତା କମିଛି। ଏକଥା ଆମେ କହିନାହୁଁ। ଇଣ୍ଡିଆ ଟୁଡେ ସର୍ଭେ ପକ୍ଷରୁ କୁହାଯାଇଛି। ଏନେଇ ସମୀକ୍ଷା କରିବା ଆବଶ୍ୟକତା ରହିଛି ନା ନାହିଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ତଳସ୍ତରର ବିଜେଡି କର୍ମୀ ମୋତେ ସମର୍ଥନ କରୁଛନ୍ତି। ହେଲେ କିଛି ଜଣ ଲୋକ ଦଳକୁ ଜାଗିରିଦାର କରି ରଖିଛନ୍ତି। ମୁଁ କାହିଁକି ଦଳ ଛାଡିବି। ଯଦି ମୁଁ କିଛି ଦଳ ବିରୋଧୀ କାର୍ଯ୍ୟ କରୁଛି ତେବେ ମୁଖ୍ୟମନ୍ତ୍ରୀ ମୋତେ ନିଲମ୍ବନ କାହିଁକି କରୁନାହାନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ” ଯେହେତୁ ମୁଁ ବିଜେଡି ଦଳରେ ଅଛି ଦଳ ପ୍ରତି ଆଗକୁ ଥିବା ବିପଦ ଜାଣିପାରି ସତର୍କ କରାଇବା ମୋ ଦାୟିତ୍ୱ । ଏଥିରେ ଅସୁବିଧା କେଉଁଠି ରହିଲା ” ।