ଆମାଜନର ସିଇଓ ପଦରୁ ଇସ୍ତଫା ଦେଲେ ଜେଫ୍ ବେଜୋସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମାଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜେଫ୍ ବେଜୋସ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଚଳିତ ବର୍ଷ ଶେଷ ସୁଦ୍ଧା ପଦ ଛାଡ଼ିବେ। ବେଜୋସ ଏକ ଚିଠି ଲେଖି ନିଜର କର୍ମଚାରୀଙ୍କୁ ଏହି ନିଷ୍ପତ୍ତି ସଂପର୍କରେ ଅବଗତ କରିଛନ୍ତି। ତାଙ୍କ ସ୍ଥାନରେ ଆମାଜନର ୱେବ୍ ହେଡ଼୍ ଆଣ୍ଡି ଜେସୀଙ୍କ ନାମ ଘୋଷଣା କରାଯାଇଛି।ଜେଫ ବେଜୋସ ଚିଠିରେ ଲେଖିଛନ୍ତି ଯେ, ମୁଁ ଏହା ଘୋଷଣା କରି ଉତ୍ସାହିତ ଅଛି ଯେ, ଆମାଜନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୂମିକା ତୁଲାଇବି ଏବଂ ଆଣ୍ଡି ଜେସୀ କମ୍ପାନୀର ନୂଆ ସିଇଓ ହେବେ।
ଜେଫ୍ ବେଜୋସ୍ ଆମାଜନକୁ ଏକ ଷ୍ଟାର୍ଟଅପ ଭାବେ ୧୯୯୫ରେ ଶୁଭାରମ୍ଭ କରିଥିଲେ। ଆଜି ଏହା ବିଶ୍ୱର ସର୍ବବୃହତ୍ ଇ-କମର୍ସ କମ୍ପାନୀ ଭାବେ ଉଭା ହୋଇଛି। ସେ ପତ୍ରରେ ଲେଖିଛନ୍ତି ଯେ, ମୁଁ ନିଜର ଏହି ନୂଆ ଭୂମିକାରେ ନିଜର ପୂରା ଶକ୍ତି ଲଗାଇ କାମ କରିବି। ସେହିପରି ଉତ୍ପାଦନ ବୃଦ୍ଧି ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବି। ଆଣ୍ଡି ଭଳି ଜଣେ ବ୍ୟକ୍ତିଙ୍କ ଉପରେ ମୋର ପୂରା ଭରସା ଯେ, ସେ ଜଣେ ଉତ୍କୃଷ୍ଟ ଲିଡର ଭାବେ ନିଜକୁ ପ୍ରମାଣିତ କରିପାରିବେ।