ଜେଲରୁ ବାହାରିଲେ ଅମରେଶ
ଭୁବନେଶ୍ୱର : ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଗୁରୁବାର ଝାରପଡା ଜେଲରୁ ବାହାରିଛନ୍ତି । ଦୁଇଦିନ ତଳେ ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା । ଆଜି ସେ ଜେଲରୁୁ ବାହାରି ବିରାଟ ପଟୁଆରରେ ଘରକୁ ଯାଇଛନ୍ତି ।
ଜାମିନ ମିଳିବା ପରେ ଆଜି ସନ୍ଧ୍ୟାରେ ଅମରେଶ ଜେନା ଝାରପଡା ଜେଲରୁ ମୁକୁଳିଥିଲେ । ଜେଲରେ ବାହାରକୁ ଆସିବା ପରେ ତାଙ୍କର ହଜାର ହଜାରର ସମର୍ଥକ ଫାଟକ ପାଖରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ଘରକୁ ନେଇଯାଇଥିଲେ । ଶହଶହ ସଖ୍ୟାରେ ବାଇକ ରାଲି ସହ ହଜାର ହଜାର ସଂଖ୍ୟାରେ ମହିଳା ଓ ଯୁବକ ଅମରେଶ ଜେନା ଜିନ୍ଦାବାଦ୍ ନାରାଦେଇ ତାଙ୍କୁ ଶୋଭାଯାତ୍ରାରେ ନେଇଥିଲେ । ଏହି ଶୋଭାଯାତ୍ରା ବେଳେ ରାସ୍ତାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଖାଲି ଏତିକିରେ ସରିନଥିଲେ ରାସ୍ତାର ବିଭିନ୍ନ ଛକ ଜାଗାରେ ଶୋଭାଯାତ୍ରାକୁ ଅଟକାଇ ସମର୍ଥକମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧିତ କରିଥିଲେ ।
ଏହି ସମୟରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମୋ ବିରୋଧରେ ଆସିଥିବା ମାମଲା ଏବେ ମାନ୍ୟବର ନ୍ୟାୟାଳୟରେ ବିଚାରଧିନ ରହିଛି । ନ୍ୟାୟାଳୟ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି । ମୋତେ ନ୍ୟାୟ ମିଳିବ ବୋଲି ମୁଁ ଆଶା ରଖିଛି । ମୋ ବିରୋଧରେ ଷଡଯନ୍ତ୍ର ରଚିଥିବା ବ୍ୟକ୍ତି ବିଶେଷଙ୍କୁ ମୁଁ କ୍ଷମା କରିଦେଇଛି । ଜଗନ୍ନାଥ ମଧ୍ୟ ତାଙ୍କୁ କ୍ଷମା କରନ୍ତୁ ଓ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ, ସେମାନେ ଆଉ କାହା ବିରୋଧରେ ଏଭଳି ଷଡଯନ୍ତ୍ର ନକରନ୍ତୁ ।