ଭାରତୀୟ ସାହିତ୍ୟ ଦେଶକୁ ବିଶ୍ଵପଟଳରେ ବିଶ୍ଵ ଗୁରୁ ରୂପେ ପରିଚିତ କରାଇବ : ଡଃ ଅମର ଶତପଥୀ

0

ଭୁବନେଶ୍ୱର ୧୧।୧୦: ସରକାରୀ ସେବା ପ୍ରକ୍ରିୟା ମନ୍ଥର ବୋଲି ପ୍ରତୀତ ହେଉଥିଲେ ହେଁ ଏହା ବୃହତ୍ତର ସ୍ବାର୍ଥ ସାଧନ ବୋଲି ସର୍ବଦା ତତ୍ପର ବୋଲି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ଵାଗଚି କଳିଙ୍ଗ ସାହିତ୍ୟ ମହୋତ୍ସବର ଦ୍ଵିତୀୟ ଦିବସରେ ଯୋଗଦେଇ କହିଛନ୍ତି।

ବାଙ୍ଗାଲୋରର କର୍ପୋରେଟ ଜଗତରେ ଏକ କମ୍ପାନୀର ପ୍ରତିଷ୍ଠାତା ହୋଇ ଅବସର ପରେ ଓଡ଼ିଶା ସରକାରଙ୍କ ସହ କାମ କରିବାପରେ କିପରି ଅନୁଭବ କରୁଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀଯୁକ୍ତ ବାଗଚୀ କହିଥିଲେ ଯେ ସରକାରୀ ପ୍ରକ୍ରିୟା କ୍ଷୁଦ୍ର ପ୍ରୟାସ ପ୍ରତି ଗୁରୁତ୍ବ ଦେଇ ନ ଥାଏ, ବରଂ ଯେଉଁ କାର୍ଯ୍ୟକ୍ରମ ସମାଜକୁ ବା ସମାଜର ଏକ ବଡ ଅଂଶକୁ ପରିବର୍ତ୍ତନ କରିବାର କ୍ଷମତା ରଖୁଥିବ ସେଭଳି ପ୍ରୟାସ ପାଇଁ ସର୍ବଦା ତତ୍ପର ବୋଲି କହିଥିଲେ।

ଉଦାହରଣ ସ୍ୱରୂପ ସେ କହିଥଲେ ଯେ କୋଭିଡ ସମୟରେ ଏହାର ତ୍ଵରିତ ମୁକାବିଲା କେବଳ ସରକାରୀ ପ୍ରକ୍ରିୟା ଯୋଗୁଁ ହିଁ ସମ୍ଭବ ହୋଇପାରିଲା, ଅନ୍ୟଥା କୌଣସି ଘରୋଇ ସଂସ୍ଥା ଏପରି ଦୃତ ଗତିରେ କାର୍ଯ୍ୟ କରିପାରି ନଥାନ୍ତା ।

କଳିଙ୍ଗ ସାହିତ୍ୟ ମହୋତ୍ସବର ଦ୍ଵିତୀୟ ଦିବସରେ ସାହିତ୍ୟ, କ୍ରୀଡା, ପ୍ରକାଶନ, ଅନୁବାଦ, କବିତା ପଠନ ଓ ମଞ୍ଚ ଅଭିନୟ ସମେତ ଦଶଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହିପରି ଏକ ଅଧିବେଶନରେ ଭାଗ ନେଇ ନିକଟରେ ପ୍ରଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ମଣିପୁର ରାଜ୍ୟର ମହିଳା ଫୁଟବଲ ଖେଳାଳୀ ତଥା ପ୍ରଶିକ୍ଷିକା ବେମବେମ୍ ଦେବୀ କହିଥିଲେ ଯେ ଆର୍ଥିକ ସହାୟତା ମିଳିଲେ ଭାରତୀୟ ମହିଳା ଫୁଟବଲ ଦଳ ଆଗାମୀ ଦଶବର୍ଷ ଭିତରେ ବିଶ୍ଵକପ ରେ ଭାଗ ନେବାପାଇଁ ସକ୍ଷମ ହୋଇପାରିବ।

ଓଡ଼ିଶା ସାହିତ୍ୟ

ଏହି ମହୋତ୍ସବର ଦ୍ଵିତୀୟ ଦିବସରେ ଏକ ବାର୍ତ୍ତାଳାପରେ ଭାଗନେଇ ପୂର୍ବତନ ଢେଙ୍କାନାଳ ସାଂସଦ ତଥାଗତ ଶତପଥି ଓଡ଼ିଶା ତଥା ଓଡ଼ିଆ ଭାଷାର ଗତିପଥ ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଓଡ଼ିଶାା ତଥା ଓଡ଼ିଆ ଭାଷା ଉପରେ ଅନେକବାର ଆକ୍ରମଣ ହେବା ସତ୍ତ୍ୱେ ଏହା ଆଜି ମଧ୍ୟ ମୁଣ୍ଡ ଟେକି ବଞ୍ଚି ରହିବା ପାଇଁ ସମସ୍ତ ଶ୍ରେୟ ଜଗନ୍ନାଥ ସଂସ୍କୃତି କୁ ଯିବ।

ସେ ଓଡ଼ିଶାରେ ତଥା ଭାରତର ଇତିହାସକୁ ସଂରକ୍ଷିତ କରିବା ଦିଗରେ ନିରୁତ୍ସାହିତ ପଦକ୍ଷେପକୁ ସମାଲୋଚନା କରିଥିଲେ।ସେ କହିଥିଲେ ବିଜୁ ଜନତା ଦଳ ଓଡ଼ିଶାରେ କ୍ଷମତାକୁ ଆସିବା ପରେ ବିଜୁ ପଟ୍ଟନାୟକ ଓ ଜାନକୀ ପଟ୍ଟନାୟକଙ୍କୁ ଛାଡ଼ି ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମାନଙ୍କ ସ୍ଵାଧୀନତା ଦିବସ ଓ ଗଣତନ୍ତ୍ର ଦିବସର ଭିଡିଓ ଫିଲ୍ମକୁ ନଷ୍ଟ କରି କଲିକତାର ଏକ ସଂସ୍ଥାକୁ ଦେଇଥିଲେ । ସେହିପରି କେନ୍ଦ୍ରରେ ବିଜେପି ନେତୃତ୍ବରେ ଏନ୍ ଡିଏ ସରକାର କ୍ଷମତାସୀନ ହେବାପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକଳାପ ବିବରଣୀକୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ୱେବସାଇଟରୁ ହଟାଇ ଦେଇଥିଲା।

ଦଳମତ ନିର୍ବିଶେଷରେ ସମସ୍ତେ ଏଭଳି କରିଥିବାରୁ ରାଜ୍ୟର ତଥା ଦେଶର ଇତିହାସ ସଠିକ ଢଙ୍ଗରେ ସଂରକ୍ଷିତ ହୋଇପାରିନାହିଁ ବୋଲି ସେ କ୍ଷୋଭ ବ୍ୟକ୍ତ କରିଥିଲେ।

ଅତୀତରେ ଭାରତୀୟ ସାହିତ୍ୟିକ କୃତି ଦେଶକୁ ବିଶ୍ଵରେ ପରିଚିତି ଦେଇଥିଲା ଓ ବିଶ୍ଵ ଗୁରୁ ଭାବେ ଗଢି ତୋଳି ଥିଲା। ସଂପ୍ରତି ଭାରତୀୟ ସାହିତ୍ୟରେ ଯେଉଁ ସବୁ ଯୁଗାନ୍ତକାରୀ ପରିବର୍ତ୍ତନ ଦେଖାଦେଉଛି ଏହା ମଧ୍ୟ ଦିନେ ଭାରତକୁ ପୁନର୍ବାର ବିଶ୍ବ ଗୁରୁ ରୂପେ ପରିଚିତି ଆଣିଦେବ ବୋଲି ରାଜ୍ୟସଭା ସାଂସଦ ଡଃ ଅମର ପଟ୍ଟନାୟକ କହିଥିଲେ ।

ଭାରତୀୟ ସାହିତ୍ୟରେ ଆଞ୍ଚଳିକତା ର ଛାପ ରହିଥିଲି ମଧ୍ୟ ଏଥିରେ ପ୍ରେମ, କରୁଣା, ଭାଇଚାରା ଆଦି ବୈଶ୍ବିକ ବିଷୟବସ୍ତୁ ରହିଥିବାରୁ ଏହା ଜଗତରେ ଆଦୃତ ହୋଇପାରିଥିଲା। ଏବେ ମଧ୍ୟ ଭାରତୀୟ ସାହିତ୍ୟରେ ଯେଉଁ କ୍ରାନ୍ତି ଆସିଚି ଏହା ଭାରତକୁ ବିଶ୍ବଗୁରୁ ଭାବେ ପରିଚିତି ଆଣିଦେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

Leave a comment