ଆଜି ପବିତ୍ର ଅକ୍ଷୟ ତୃତୀୟା, ଚାଷ ଅନୁକୂଳ କଲେ ଚାଷୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଆଜିଠୁ ଚାଷୀ ଭାଈ ମ।ନେ ଚାଷ କାମ ଆରମ୍ଭ କରନ୍ତି। କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ ।
ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି ।
ଅନ୍ୟପକ୍ଷରେ ଆଜି ପବିତ୍ର ଅକ୍ଷୟ ତୃତୀୟା ଶ୍ରୀମନ୍ଦିର ପରିସରରେ ରଥକାଠ ଅନୁକୂଳ ହେବ। କରୋନା ମୁକାବିଲା ପାଇଁ ଲକ୍ଡାଉନ୍ ଥିବାରୁ ସମସ୍ତ ନୀତିକାନ୍ତି ଶ୍ରୀମନ୍ଦିର ଭିତରେ ହିଁ ଅନୁଷ୍ଠିତ ହେବ। ଚାହାଣି ମଣ୍ଡପ ଓ ସ୍ନାନ ମଣ୍ଡପର ମଧ୍ୟବର୍ତ୍ତୀ ସ୍ଥାନରେ ବନଯାଗ ବିଦ୍ଧିରେ ରଥ ଅନୁକୂଳ କାମ ହେବ।