ଅଜନ୍ତା ଏଲୋରା ଗୁମ୍ଫା ମଡେଲରେ ଝଲସିବ ଷ୍ଟେସନ ବଜାର ଦୂର୍ଗାମଣ୍ଡପ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଷ୍ଟେସନ ବଜାର ଦୂର୍ଗାପୂଜା ଏବର୍ଷ ୬୪ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ଏଥର ର ପୂଜା ବଜେଟ ୩୦ ଲକ୍ଷ ରଖାଯାଇଛି । ଏବର୍ଷ ଦୂର୍ଗାପୂଜାର ମୁଖ୍ୟ ଆକର୍ଷଣ ହେବ ଅଜନ୍ତା ଏଲୋରା ଗୁମ୍ଫାର ଅବିକଳ ମଡେଲ । ଯାହାର ଦର୍ଘ୍ୟ ୧୨୦ ଫୁଟ ଓ ଉଚ୍ଚତା ୫୦ଫୁଟ । ସେହିପରି ଆଦିମ ଯୁଗର ମାନବ ମାନଙ୍କ ଜୀବନଶୈଳୀ ଏବଂ ବର୍ତ୍ତମାନ ସହରୀ ସଭ୍ୟତାକୁ ପୂଜା ମଣ୍ଡପର ଆଭ୍ୟନ୍ତରୀଣ ସାଜସଜ୍ଜା ଭାବେ ଅଳଙ୍କୃତ କରାଯିବ । ଯାହାକି ଲୋକଙ୍କୁ ଖୁବ ଆକୃଷ୍ଟ କରିବ ବୋଲି ଷ୍ଟେସନ ବଜାର ସାର୍ବଜନୀନ ଦୂର୍ଗାପୂଜା ସମିତି ଖୁବ ଆଶାବାଦୀ । ଅପରପକ୍ଷରେ ପୂର୍ବ ବର୍ଷଭଳି ଏବର୍ଷ ମଧ୍ୟ ଚାନ୍ଦି ମେଢ ଭକ୍ତଙ୍କ ଆକର୍ଷଣର ଅନ୍ୟଏକ କେନ୍ଦ୍ରବିନ୍ଦୁ ରହିବ ।

ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ୩୦ଟି ସିସିଟିଭି କ୍ୟାମେରା ଲଗାଯିବା ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ପାଇଁ କମିଶନରେଟ ପୋଲିସ ସହ ଷ୍ଟେସନ ବଜାର ଦୂର୍ଗାପୂଜା ସମିତି ପକ୍ଷରୁ ୧୦୦ ସ୍ବେଚ୍ଛାସେବୀ ନିୟୋଜିତ ରହିବେ । ଭିନ୍ନକ୍ଷମଙ୍କ ପାଇଁ ହୁଇଲ ଚେୟାର ର ବ୍ୟବସ୍ଥା କରାଯାଇଛି । ସେହିପରି ଷଷ୍ଠୀ ତିଥିରୁ ଦଶମୀ ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ୱର ର ବିଭିନ୍ନ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।

ଆଜି ପୂଜା ପ୍ରସ୍ତୁତିକୁ ନେଇ ଏକ ସାମ୍ବାଦିକ ସମ୍ବିଳନୀର ଆୟୋଜନ କରାଯାଇଥିଲା । ଏହି ସମ୍ବିଳନୀର ସଭାପତି ଗଣେଶ ପ୍ରସଦ ସାହୁ, ସଂପାଦକ ଦୀପକ କୁମାର ଜେନା, ଉପଦେଷ୍ଟା ପୂର୍ବତନ କର୍ପୋରେଟର ଅମରେଶ ଜେନା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment