ଟ୍ରାଫିକ୍ ସମସ୍ୟା ଦୂର କରିବ ‘ଏୟାର ଟ୍ୟାକ୍ସି’

0

ଦେଶର ସଡ଼କଗୁଡ଼ିକରେ ଯାନବାହନ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି । ଏହାଯୋଗୁ ଭୀଷଣ ଟ୍ରାଫିକ୍ ସମସ୍ୟା ଉପୁଜିବା ସହ ପ୍ରଦୂଷଣ ମାତ୍ରା ବି ବଢ଼ୁଛି । ଲୋକମାନେ ବେଳେ ବେଳେ ଟ୍ରାଫିକ୍ରେ ଫସି ହଇରାଣ ହେଉଛନ୍ତି। ବିଭିନ୍ନ ଅଫିସରେ କାମ କରୁଥିବା ଲୋକେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଟ୍ରାଫିକ୍ ଜାମ୍ ଯୋଗୁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ବି ଖରାପ ପ୍ରଭାବ ପଡ଼ୁଛି ।

ଏଭଳି ସମସ୍ୟାର ସମାଧାନ ବାହାରିବାକୁ ଯାଉଛି । ଦେଶରେ ଆଗାମୀ ସମୟରେ ‘ଏୟାର ଟ୍ୟାକ୍ସି’ ଆସିପାରେ । ଏୟାର ଟ୍ୟାକ୍ସିରେ ଯାତ୍ରା କରିବାକୁ ଲୋକେ ସୁଯୋଗ ପାଇବେ । ଏହାଯୋଗୁ ଟ୍ରାଫିକ୍ ହେବନାହିଁ କିମ୍ବା ପ୍ରଦୂଷଣ ବି ବଢ଼ିବ ନାହିଁ ।

ଭାରତୀୟ ଆକାଶରେ ଦେଖିବାକୁ ମିଳିବ ‘ଏୟାର ଟ୍ୟାକ୍ସି’ । ଭାରତରେ ଖୁବଶୀଘ୍ର ଏୟାର ଟ୍ୟାକ୍ସି ନିର୍ମାଣ କରାଯିବ । ଚେନ୍ନାଇ ଭିତ୍ତିକ ଷ୍ଟାର୍ଟଅପ୍ ‘ଇପ୍ଲେନ୍’ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଆକାଶରେ ଉଡ଼ିପାରୁଥିବା ଇଲେକ୍ଟ୍ରିକ୍ ଟ୍ୟାକ୍ସିର ପ୍ରତିରୂପ ଲଞ୍ଚ୍ କରିବା ପାଇଁ ପ୍ରସ୍ତୁତି ଚଳାଇଛି । ପ୍ରମାଣିତ ପ୍ରତିରୂପ ବିକଶିତ କରିବା ପାଇଁ ଜୋରଦାର କାମ ଚାଲିଛି । ସହରାଞ୍ଚଳରେ ଟ୍ରାଫିକ୍ ସମସ୍ୟାର ପ୍ରତିକାର ନିମନ୍ତେ ଇପ୍ଲେନ୍ ବିଭିନ୍ନ ବିକଳ୍ପ ଉପରେ ମନୋନିବେଶ କରୁଛି । ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ, ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଆଇଟି), ମାଡ୍ରାସ ସହଯୋଗରେ କାମ କରୁଥିବା ଏହି କମ୍ପାନି ଆଗାମୀ ମାସଗୁଡ଼ିକରେ ନିଜ ଡ୍ରୋନ୍ର ବ୍ୟବସାୟୀକରଣ କରିବାକୁ ଯାଉଛି । ଏହି ଡ୍ରୋନ୍ ୨-୬ କିଲୋଗ୍ରାମ ଓଜନର ସମଗ୍ରୀ ବହନ କରି ଉଡ଼ାଣ କରିପାରିବ ।

ଇପ୍ଲେନ୍ କମ୍ପାନିର ପ୍ରତିଷ୍ଠାତା ତଥା ସିଇଓ ସତ୍ୟ ଚକ୍ରବର୍ତ୍ତୀ କହିଛନ୍ତି, ଷ୍ଟାର୍ଟଅପ୍ ଏକ ଇଭିଟିଓଏଲ୍ (ଇଲେକ୍ଟ୍ରିକ୍ ଭର୍ଟିକାଲ୍ ଟେକ୍ଅଫ୍ ଆଣ୍ଡ୍ ଲ୍ୟାଣ୍ଡିଂ) ବିମାନ ବିକଶିତ କରୁଛି । ପ୍ରାରମ୍ଭରେ ଏହା ୩ କିମ୍ବା ୪ ସିଟ୍ବିଶିଷ୍ଟ ବିମାନ ହେବ । ପରମୁହୂର୍ତ୍ତରେ ଏହାକୁ ଏୟାର ଆମ୍ବୁଲାନ୍ସରେ ରୂପାନ୍ତରଣ କରାଯିବ । ତାଙ୍କ ମୁତାବକ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା କମ୍ପାନି ଏୟାର ଟ୍ୟାକ୍ସିର ପ୍ରଥମ ପ୍ରମାଣିତ ପ୍ରତିରୂପ ଆଣିବା ପାଇଁ ଆଶା ରଖିଛି । ଏହାପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଠାରୁ ପ୍ରମାଣନ ପ୍ରାପ୍ତ କରିବାରେ ଆଉ କିଛି ବର୍ଷ ଲାଗିଯିବ । ଯେଉଁ ସ୍ଥାନରେ ପହଞ୍ଚିବା ଲାଗି ଏକ ବ୍ୟକ୍ତିଗତ ବାହନକୁ ୬୦ ମିନିଟ୍ ଲାଗୁଛି, ଇପ୍ଲେନ୍ର ଏୟାର ଟ୍ୟାକ୍ସି ଦ୍ୱାରା ସେଠାରେ ମାତ୍ର ୧୪ ମିନିଟ୍ରେ ପହଞ୍ଚିହେବ । ଏହାଦ୍ୱାରା ଟ୍ରାଫିକ୍ ସମସ୍ୟା ବି ଦୂର ହୋଇପାରିବ।

Leave a comment