ପିସିସିର ସମସ୍ତ କମିଟିକୁ ଭାଙ୍ଗିଲା ଏଆଇସିସି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ନିର୍ବାଚନରେ ଦଳର ନିରୁତ୍ସାହଜନକ ପ୍ରଦର୍ଶନ ପାଇଁ ଏଆଇସିସି ପିସିସିର ସମସ୍ତ କମିଟିକୁ ଭାଙ୍ଗିଦେଇଛି । ଏଆଇସିସି ପକ୍ଷରୁ ଆନୁଷ୍ଠାନିକ ଭାବେ ପ୍ରଦେଶ କଂଗ୍ରେସ କମିଟିକୁ ଏସମ୍ୱନ୍ଧରେ ଅବଗତ କରାଯାଇଛି । ମାତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାପତ୍ରକୁ ଏଆଇସିସି ଅଗ୍ରାହ୍ୟ କରିବା ସହ କାର୍ଯ୍ୟକାରୀ ସଭାପତି ଭାବେ ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀ ପୂର୍ବଭଳି ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଛି ।
ସୂଚନା ଅନୁଯାୟୀ, ଚାରିଦିନ ପୂର୍ବରୁ ଦିଲ୍ଲୀରେ ଏଆଇସିସି ସହ ବୈଠକ ହୋଇଥିଲା । ବର୍ତ୍ତମାନ ପସିସି ସଭାପତିଙ୍କ ଇସ୍ତଫା ଗ୍ରହଣ ନକରିବାକୁ ଅଧିକାଂଶ ନେତା ଏଆଇସିସିକୁ ଅନୁରୋଧ କରିଥିଲେ । ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି, ଏଆଇସିସି ପିସିସି ସଭାପତି ଓ ଦୁଇ କାର୍ଯ୍ୟକାରୀ ସଭାପତି ବ୍ୟତୀତ ପ୍ରଦେଶ କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦେଇଛନ୍ତି । ଏଆଇସିସି ପରବର୍ତ୍ତୀ ନିର୍ଦ୍ଦେଶ କ୍ରମେ ନୂତନ ପଦାଧିକାରୀ ଚୟନ କରାଯିବ । ଦଳକୁ ଅଧିକ ମଜଭୁତ କରିବାକୁ ସମସ୍ତଙ୍କ ସହ ବିଚାରବିମର୍ଷ କରି ନୂତନ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀ ମାଝୀ ।