ନୂଆ ବର୍ଷଠାରୁ ରାତିରେ ଖୋଲିବ ଆହାର କେନ୍ଦ୍ର

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନଙ୍କ ନୂତନ ବର୍ଷର ନୂତନ ଭେଟି । ଏଣିକି ରାତିରେ ମିଳିବ ୫ ଟଙ୍କିଆ ଆହାର । ଆହାର କେନ୍ଦ୍ର ରାତିରେ ଖୋଲିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ନୂଆ ବର୍ଷରୁ ରାଜ୍ୟର ସମସ୍ତ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ର ରାତିରେ ଖୋଲିବ ।
ଏ ନେଇ ଗୁରୁବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିରେ ଆହାର କେନ୍ଦ୍ରଗୁଡ଼ିକରେ ଜନସାଧାରଣଙ୍କ ଭାଗିଦାରୀ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏବେ ରାଜ୍ୟର ୭୬ଟି ପୌରାଞ୍ଚଳରେ ଆହାର କେନ୍ଦ୍ର ଉପଲବ୍ଧ ରହିଛି । ଏହା ଭିତରୁ ୫୪ଟି ପୌରାଞ୍ଚଳର ଆହାର କେନ୍ଦ୍ର ଡାକ୍ତରଖାନା ନିକଟରେ ଖୋଲାଯାଇଛି । ରୋଗୀଙ୍କ ସମ୍ପର୍କୀୟଙ୍କ ସୁବିଧା ସକାଶେ ରାଜ୍ୟ ସରକାର ଏହିସବୁ କେନ୍ଦ୍ରରେ ରାତିରେ ଆହାର ଯୋଗାଣ ବ୍ୟବସ୍ଥା କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ଅନଲାଇନରେ ଦାନ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯିବ । ଲୋକମାନେ ଚାହିଁଲେ ଆହାର କେନ୍ଦ୍ର ଜରିଆରେ ଲୋକମାନଙ୍କୁ ଖାଇବାକୁ ଦେଇପାରିବେ ।