କୋଲ୍ଡଡ୍ରିଙ୍କ୍‌ ପରେ ଏଥର ଆଇସକ୍ରିମ୍‌ ତିଆରି କରିବେ ମୁକେଶ ଅମ୍ବାନୀ

0

ତୈଳ ଗ୍ୟାସ୍‌ ଏବଂ ଟେଲିକମ୍‌ ବ୍ୟବସାୟ ପରେ ଏବେ ଦେଶର ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଚଳିତ ଗ୍ରୀଷ୍ମରେ ରିଟେଲ୍‌ ସେକ୍ଟରରେ ଏଣ୍ଟ୍ରି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି। ଗତ ମାସରେ ନିଜର କୋଲ୍ଡଡ୍ରିଙ୍କ୍‌ ବ୍ରାଣ୍ଡ ‘କାମ୍ପା କୋଲା’ ଲଞ୍ଚ କରିବା ପରେ ଏବେ ଅମ୍ବାନୀ ଗ୍ରୀଷ୍ମର ଆଉ ଏକ ହଟ୍‌ ବ୍ୟବସାୟ ଆଇସକ୍ରିମ୍‌ ଉପରେ ନଜର ରଖିଛନ୍ତି।

ଖବର ମୁତାବକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆଇସକ୍ରିମ୍ ବଜାରରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି।

ରିପୋର୍ଟ ଅନୁସାରେ, ରିଲାଏନ୍ସ ରିଟେଲ ଭେଞ୍ଚରର ଏଫଏମସିଜି କମ୍ପାନୀ ‘ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍‌’ ନିଜର ଇଣ୍ଡିପେଣ୍ଡେନ୍ସ ବ୍ରାଣ୍ଡ ସହିତ ଆଇସକ୍ରିମ ବ୍ୟବସାୟରେ ପ୍ରବେଶ କରିପାରେ। କହି ରଖୁଛୁ ଇଣ୍ଡିପେଣ୍ଡେନ୍ସ ବ୍ରାଣ୍ଡକୁ କମ୍ପାନୀ ଗତ ବର୍ଷ ଲଞ୍ଚ୍‌ କରିଥିଲା, ଯେଉଁଥିରେ ମସଲା, ଖାଇବା ତେଲ, ଡାଲି, ଶସ୍ୟ ଏବଂ ପ୍ୟାକେଜ୍ ଖାଦ୍ୟଠାରୁ ଆରମ୍ଭ କରି ସମସ୍ତ ଖାଦ୍ୟପେୟର ସାମଗ୍ରୀ ଅନ୍ତର୍ଭୁକ୍ତ ଥିଲା। ଖବର ମୁତାବକ, ରିଲାଏନ୍ସ ଆଇସକ୍ରିମ ତିଆରି କାର୍ଯ୍ୟକୁ ଆଉଟସୋର୍ସ କରିବା ପାଇଁ ଗୁଜରାଟର ଏକ କମ୍ପାନୀ ସହିତ କଥାବାର୍ତ୍ତା କରୁଛି।

ତେବେ ରିଲାଏନ୍ସ ସିଧାସଳଖ ଏହି ବ୍ୟବସାୟରେ ପାଦ ଦେବ ନାହିଁ। ଏହା ବଦଳରେ କମ୍ପାନୀ ଗୁଜରାଟର ଏକ ବଡ଼ କମ୍ପାନୀକୁ କିଣିପାରେ। ଉକ୍ତ କମ୍ପାନୀ ସହିତ ରିଲାଏନ୍ସର ଆଲୋଚନା ଶେଷ ପର୍ଯ୍ୟାୟରେ ଅଛି। କମ୍ପାନୀ ଚଳିତ ବର୍ଷ ଗ୍ରୀଷ୍ମରେ ନିଜର ଆଇସ୍‌କ୍ରିମ୍‌ ଲଞ୍ଚ କରିପାରେ। କମ୍ପାନୀ ନିଜର ଗ୍ରୋସରୀ ଖୁଚୁରା ଆଉଟଲେଟ୍ ଜିଓ ମାର୍ଟ ମାଧ୍ୟମରେ ଆଇସ୍‌କ୍ରିମ୍‌ ବିକ୍ରି କରିପାରେ।

Leave a comment