ମୁଖ୍ୟମନ୍ତ୍ରୀଙ୍କର ୨୩ ବର୍ଷ ପରେ ପାଇକଙ୍କ କଥା ମନେପଡିଲା, ଏହା ଛଳନା ନୁହେଁ କି ?: ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର

0

ଭୁବନେଶ୍ୱର(ଓଡିଶା ଫାଷ୍ଟ ବ୍ୟୁରୋ)  : ଗତକାଲି ରାଜ୍ୟ ସରକାର ପାଇକ ଏକାଡେମି ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କଲେ ବୋଲି ଘୋଷଣା କରିଛନ୍ତି । ଯାହା ହେଉ ୨୩ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କର ଓଡିଶାର ଅସ୍ମିତା ଏବଂ ଗୌରବର ପ୍ରତିକ ପାଇକ ସଂଗ୍ରାମ କଥା ମନେପଡିଲା । ଏହା ପାଇକମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମ୍ମାନ ନା ଅଣଦେଖା, ତାହା ଓଡିଶାର ସ୍ୱାଭିମାନୀ ଲୋକେମାନେ ନିଷ୍ପତି ନିଅନ୍ତୁ । ଏହି ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାର ଭାଗ୍ୟ ଓଡିଆ ଭାଷା ବିଶ୍ୱବିଦ୍ୟାଳୟ ଓ ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ ଭଳି ହେବ ନାହିଁ ତ ? ୫ ବର୍ଷ ବିତିଗଲାଣି, ଓଡିଆ ଭାଷା ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ନିର୍ମାଣ ହୋଇପାରୁନାହିଁ ଓ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଆଜି ବନ୍ଦ ହେବା ସ୍ଥିତିକୁ ଆସିଗଲାଣି । ଯଦି ମୁଖ୍ୟମନ୍ତ୍ରୀଙ୍କର ପାଇକମାନଙ୍କ ସ୍ୱୀକୃତି ପ୍ରତି ଏତେ ଆନ୍ତରିକତା ଥିଲା ତାହେଲେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ପାଇକ ବିଦ୍ରୋହ ସ୍ମାରକୀ କାମକୁ ଦିଗହରା କରିବା ପାଇଁ କାହିଁକି ଷଡଯନ୍ତ୍ର କରୁଥିଲେ ବୋଲି କହିଛନ୍ତି, ବକ୍ସି ଜଗବନ୍ଧୁଙ୍କ ଦାୟଦ ତଥା ବ୍ରହ୍ମଗିରି ବିଧାୟକ ଓ ରାଜ୍ୟ ଉପସଭାପତି ଶ୍ରୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, କୁହାଯାଉଛି ଯେ କୁଆଡେ ୫ଟି ସଚିବଙ୍କ ପାଇଁ ଏହି ଏକାଡେମି ସ୍ଥାପନା ହେଉଛି ! ତାହେଲେ କ’ଣ ମୁଖ୍ୟମନ୍ତ୍ରୀ ଆଜି ପର୍ଯ୍ୟନ୍ତ ପାଇକମାନଙ୍କ ତ୍ୟାଗ ଆଉ ବଳିଦାନ ବିଷୟରେ ଜାଣିନଥିଲେ କି ? ଏକଥା ମଧ୍ୟ ସତ୍ୟ ଯେ, ଯେଉଁ ଅଣ ଓଡିଆ ସଚିବଙ୍କ ପାଇଁ ପାଇକ ଏକାଡେମି ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଲା ବୋଲି କୁହାଯାଉଛି । ତାଙ୍କ ରାଜ୍ୟର ପୂର୍ବପୁରୁଷମାନେ ଆମଠାରୁ ୧୫୦ ବର୍ଷ ପୂର୍ବେ ନିଜକୁ ବ୍ରିଟିଶରମାନଙ୍କ ପାଖରେ ସମର୍ପିତ କରିଦେଇଥିଲେ । ଆମର ପାଇକମାନେ ଯେତେବେଳେ ଇଂରେଜ ବିରୋଧରେ ଲଢାଇ କରୁଥିଲେ ସେତେବେଳେ ୫ଟି ସଚିବଙ୍କ ପୂର୍ବପୁରୁଷମାନେ ଇଂରେଜମାନଙ୍କ ଆଗରେ ହାତଯୋଡି ଠିଆ ହେଉଥିଲେ । ଆଉ ସେମାନଙ୍କ ହାତରେ ଆମ ଜାତିର ସ୍ୱାଭିମାନର ଦାୟୀତ୍ୱ ଦେବା ଚିନ୍ତାଜନକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଅପରପକ୍ଷରେ କେନ୍ଦ୍ର ସରକାରଙ୍କର ପ୍ରସ୍ତାବିତ ପାଇକ ସଂଗ୍ରାମ ସ୍ମାରକୀ ନ କରାଇ ଦେବା ପାଇଁ ବିଜେଡି ସରକାର ଷଡଯନ୍ତ୍ର କରିଥିଲା ଓ କରିଆସୁଛି । ପାଇକ ସ୍ମାରକୀ ପାଇଁ କେନ୍ଦ୍ର ସଂସ୍କୃତି ବିଭାଗ ୫୦ ଏକର ଜମି ମାଗି ଥିବା ବେଳେ ରାଜ୍ୟ ସରକାର ମାତ୍ର ୯.୫ ଏକର ଜମି ଦେଇଛନ୍ତି । ଯଦି ରାଜ୍ୟ ସରକାରଙ୍କର ପାଇକ ସଂଗ୍ରାମକୁ ସମ୍ମାନ ଦେବାରେ ଅସୁବିଧା ନାହିଁ ତାହେଲେ କାହିଁକି ଜଙ୍ଗଲ ବିଭାଗ ଗଛ ସ୍ଥାନାନ୍ତରଣ ପାଇଁ କେନ୍ଦ୍ର ସରକାରଙ୍କୁ ପଇସା ମାଗୁଥିଲା ? ଏହା କ’ଣ ନିଜେ ରାଜ୍ୟ ସରକାର କରିପାରି ନଥାନ୍ତେ କି? ରାଜ୍ୟ ସରକାରଙ୍କର ଅସହଯୋଗ ଓ ଜାଗା ଦେବାରେ ବିଳମ୍ବ ହେବା କାରଣରୁ ଆଜି ପାଇକ ସ୍ମାରକୀ ନିର୍ମାଣ ବିଳମ୍ବିତ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଦେଶର ଦୁଇ ଜଣ ପୂର୍ବତନ ମାନ୍ୟବର ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀ, ଶ୍ରୀ ରାମନାଥ କୋବିନ୍ଦ ଏବଂ ବର୍ତମାନର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ପାଇକ ବିଦ୍ରୋହ ବାବଦରେ ବହୁତ କିଛି କଥା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ପାଇକ ସଂଗ୍ରାମୀଙ୍କ ଦାୟଦଙ୍କୁ ଭେଟିବା ସହ ସମ୍ବର୍ଦ୍ଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇକ ବିଦ୍ରୋହର ସ୍ମାରକୀ ପାଇଁ ଅର୍ଥର ବ୍ୟୟବରାଦ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଏନ୍‌ସିଇଆରଟି ପାଠ୍ୟକ୍ରମରେ ପାଇକ ବିଦ୍ରୋହ ବିଷୟକୁ ସାମିଲ କରାଯାଇଛି । ଏଥିପାଇଁ ଓଡ଼ିଶା ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ପାଇକ ବିଦ୍ରୋହକୁ ନେଇ ଜାତୀୟ ସ୍ତରରେ ବିଦ୍ରୋହୀ ଧାରାବାହିକ ପ୍ରସାରଣ ହୋଇଛି, ଯାହା ଓଡ଼ିଶା ପାଇଁ ଗର୍ବର ବିଷୟ । ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରଣରୁ ସମ୍ଭବ ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Leave a comment