ଭେଟେରାନ୍ ଅଭିନେତ୍ରୀ ମିନୁ ମମତାଜଙ୍କ ପରଲୋକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲିଉଡର ଭେଟେରାନ୍ ଅଭିନେତ୍ରୀ ମିନୁ ମମତାଜଙ୍କ ପରଲୋକ ଘଟିଛି । ମିନୁଙ୍କ ଦେହାନ୍ତ ନେଇ ସୂଚନା ଦେଇଛନ୍ତି ଭାଇ ଅନୱର ଅଲୀ। ବିଶିଷ୍ଟ କମେଡିଆନ୍ ମହମୁଦ ଅଲୀଙ୍କ ଭଉଣୀ ହେଉଛନ୍ତି ମିନୁ ମମତାଜ । ୧୯୫୦ରୁ ୧୯୬୦ ମସିହା ମଧ୍ୟରେ ମିନୁ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଦେଖାଇଥିଲେ ଅଭିନୟର ଯାଦୁ । ଡ୍ୟାନସର ଓ ଚରିତ୍ର ଅଭିନେତ୍ରୀ ଭାବେ ସେ ପ୍ରସିଦ୍ଧି ପାଇଥିଲେ । ମିନୁଙ୍କ ପ୍ରକୃତ ନାମ ମଲିକୁନିସା ଅଲୀ ଥିଲା, ଭେଟେରାନ ଅଭିନେତ୍ରୀ ମୀନା କୁମାରୀ ତାଙ୍କ ନାଁ ବଦଳାଇ ମିନୁ ରଖିଥିଲେ ।
ମିନୁ ମମତାଜଙ୍କ ପ୍ରଥମ ଫିଲ୍ମ ହେଉଛି ‘ସଖୀ ହାତିମ୍’ । ଏଥିରେ ସେ ବଲରାଜ ସାହିନଙ୍କ ଅପୋଜିଟ୍ ଲିଡ୍ ରୋଲରେ ନଜର ଆସିଥିଲେ । ଏହାଛଡ଼଼ା ଗୁରୁ ଦତ୍ତଙ୍କ ଏକାଧିକ ଫିଲ୍ମରେ ମିନୁ ମନତାଜ ଅଭିନୟ କରିଥିଲେ । କାଗଜ କା ଫୁଲ, ଚୌଦମ୍ବି କା ଚାନ୍ଦ, ସାହିବ ବିବି ଔର ଗୁଲାମ, ତାଜମହଲ, ଘୁଙ୍ଘଟ, ଇନସାନ ଜାଗ ଉଠା, ଘର ବସାକେ ଦେଖୋ, ଗଜଲ ଆଦି ଫିଲ୍ମରେ ଅଭିନୟ କରିଥିଲେ ମିନୁ ମମତାଜ।
୧୯୬୩ ମସିହାରେ ନିର୍ଦ୍ଦେଶକ ଅଲୀ ଅକବରଙ୍କୁ ବିବାହ କରିଥିଲେ ମିନୁ । ତାଙ୍କର ତିନୋଟ ଝିଅ ଓ ଗୋଟିଏ ପୁଅ ଥିବାବେଳେ ସେ କାନାଡ଼ାରେ ଦୀର୍ଘ ବର୍ଷ ହେବ ରହୁଥିଲେ । ୭୯ ବର୍ଷ ବୟସରେ କ୍ୟାନସର ପୀଡ଼ିତ ମିନୁଙ୍କ ପରଲୋକ ହୋଇଛି ।