୨୩ ବର୍ଷ ପରେ ଧରାପଡ଼ିଲା ଅଭିଯୁକ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୩ ବର୍ଷ ପୂର୍ବେ ଘଟିଥିବା ବହୁ ଚର୍ଚ୍ଚିତ ଯାଜପୁର ସଂପଦ ରାଉତ ହତ୍ୟା ମାମଲାର ଅଭିଯୁକ୍ତ ଗଜେନ୍ଦ୍ର ମହନ୍ତ ଓରଫ ଗଜିଆକୁ ସିବିଆଇ ବାଲେଶ୍ଵର ରେଳ ଷ୍ଟେସନରୁ ଗିରଫ କରିଛି। ଗଜେନ୍ଦ୍ର ଟ୍ରେନ ଯୋଗେ ହରିଆନା ଲୁଚି ପଳାଉଥିବା ବେଳେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ସିବିଆଇ କୋର୍ଟରେ ହାଜର କରାଯାଇଛି। ଘଟଣାର ଅଧିକ ତଥ୍ୟ ପାଇଁ ତାଙ୍କୁ ସିବିଆଇ ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି।

ଘଟଣା କ୍ରମେ

୧୯୯୪ରେ ଯାଜପୁର କାଳିଆପାଣିରେ ଶ୍ରମିକ ନେତା ସଂପଦ ରାଉତକୁ ଅପହରଣ ଓ ହତ୍ୟା କରାଯାଇଥିଲା। ଏହି ମାମଲାର ଗଜେନ୍ଦ୍ରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା। ସିବିଆଇ ମାମଲାର ତଦନ୍ତ କରିବା ସହ ତାଙ୍କୁ ଗିରଫ କରିଥିଲା। ହେଲେ ସେ ସିବିଆଇ ହେପାଜତରୁ ଫେରାର ହୋଇଥିଲା। ୧୯୯୫ ମସିହା ଅକ୍ଟୋବର ୧୬ରେ ମାନ୍ୟବର କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଥିଲେ। ସିବିଆଇ ତାଙ୍କୁ ଖୋଜୁଥିବା ବେଳେ ସେ ହରିଆନାରେ ଲୁଚିଥିବା ସିବିଆଇ ଜାଣିବାକୁ ପାଇଥିଲା। ସିବିଆଇର ଏକ ଟିମ ହରିଆନାରେ ଚଢ଼ାଉ କରିଥିବା ବେଳେ ସେ ଓଡିଶା ପଳାଇ ଆସିଥିଲା। ଗତକାଲି ରାତିରେ ସେ ଟ୍ରେନ ଯୋଗେ ପୁଣି ହରିଆନା ପଳାଉଥିବା ବେଳେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଦୀର୍ଘ ୨୩ ବର୍ଷ ପରେ ସିବିଆଇ କୁ ଏକ ବଡ ସଫଳତା ମିଳିଛି।

Leave a comment