ପୁରୀର ବିକାଶରେ ସହାୟକ ହେବ ଅବଢ଼ା ଯୋଜନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ର ଉନ୍ନତି ଓ ପୁରୀକୁ ବିଶ୍ୱ ଐତିହରେ ସ୍ଥାନ ଦେବାକୁ ଆଜି ରାଜ୍ୟ କ୍ୟାବିନେଟରେ ଅବଢା ଯୋଜନାକୁ ମଞ୍ଜୁରୀ ମିଳିଛି । ଏହି ଯୋଜନା ଫଳରେ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଏବଂ ଐତିହ୍ୟ କ୍ଷେତ୍ରର ବିକାଶ, ଶ୍ରୀ ସେତୁ ପ୍ରକଳ୍ପ, ମୂଷା ନଦୀର ପୁନରୁଦ୍ଧାର, ବହୁତଳ ପାର୍କିଂ, ପୁରୀ ହ୍ରଦ ଉନ୍ନତିକରଣ ଯୋଜନା, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ଗୃହ ନିର୍ମାଣ ଯୋଜନା, ରଘୁନନ୍ଦନ ପାଠାଗାର, ଅଠରନଳା ଐତିହ୍ୟର ଉନ୍ନତିକରଣ, ଆଚାର୍ଯ୍ୟ ହରିହର ଛକର ପୁନଃ ଉନ୍ନତିକରଣ ଏବଂ ବିଭିନ୍ନ ମଠର ଉନ୍ନତି ପ୍ରକଳ୍ପ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ଏହି ଯୋଜନା ଏବଂ ତାହାର ବ୍ୟୟ ଅଟକଳ ୩ ହଜାର ୨୦୮ କୋଟି ଟଙ୍କାକୁ ମଧ୍ୟ କ୍ୟାବିନେଟ ମଂଜୁରୀ ଦେଇଛି । ଏହି ଯୋଜନାରେ ୨୦୧୯-୨୦ ପାଇଁ ୭୧୯ କୋଟି, ୨୦୨୦-୨୧ ପାଇଁ ୧୪୨୦ କୋଟି ଏବଂ ୨୦୨୧-୨୨ ପାଇଁ ୧୦୮୭ କୋଟି ଟଙ୍କା ନିର୍ଦ୍ଧାରିତ ହୋଇଛି ।
ଆଗାମୀ ଦିନରେ ପୁରୀରେ ତୀର୍ଥଯାତ୍ରୀମାନଙ୍କର ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯାତ୍ରୀମାନଙ୍କୁ ଉନ୍ନତ ଓ ସୁଲଭ ମୂଲ୍ୟରେ ସୁବିଧା ସୁଯୋଗ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ମନ୍ଦିର ଏକ ପ୍ରସିଦ୍ଧ ତୀର୍ଥ ସ୍ଥାନ ହୋଇଥିବାରୁ ସବୁ ଦିଗରୁ ଯାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ଅତ୍ୟନ୍ତ ଜରୁରୀ ଅଟେ ।
ଏଥିପାଇଁ ଅବଢା ଯୋଜନା ୨୦୧୭-୧୮ ଆର୍ଥିକ ବର୍ଷରେ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିଲା । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ହବିଷ୍ୟାଳିମାନଙ୍କ ରହଣି ପାଇଁ ନୂତନ ଆଶ୍ରୟସ୍ଥଳୀ ନିର୍ମାଣ, ପୁରୀର ବିଭିନ୍ନ ସ୍ଥାନରେ ରାସ୍ତାର ଉନ୍ନତିକରଣ, ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଚାଲୁଛି । ପ୍ରଳୟଙ୍କାରୀ ବାତ୍ୟା ଫନୀର ପରିବର୍ତ୍ତି ସମୟରେ ମୁଖ୍ୟମନ୍ତ୍ରୀ ପୁରୀ ପରିଦର୍ଶନ କରି ଏହାକୁ ବିଶ୍ବସ୍ତରୀୟ ଐତିହ୍ୟ ସହର ଭାବେ ଗଢିତୋଳିବାକୁ ଘୋଷଣା କରିଥିଲେ । ଏହି ସମୟରେ ସରକାର ଓଡିଶା ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାଶଙ୍କୁ ନେଇ ଗଠିତ କମିଶନଙ୍କ ସୁପାରିଶ ଅନୁଯାୟୀ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଦେବୋତ୍ତର ସଂସ୍ଥାର ସୁଶାସନ ଓପ୍ରଶାସନ ସକାଶେ କେତେକ ଯୋଜା ଅନୁମୋଦନ କରିଛନ୍ତି । ଏହିସବୁ କାର୍ଯ୍ୟକୁ ଅବଢା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।