ଏକାମ୍ର କ୍ଷେତ୍ରରେ ୫ଟି ଅଧ୍ୟକ୍ଷ, ନୂଆବର୍ଷ ସୁଦ୍ଧା ପ୍ରକଳ୍ପର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ
ଆଜି ସକାଳୁ ସକାଳୁ ଏକାମ୍ର ବିକାଶ ପ୍ରକଳ୍ପର ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିକାଶ ପ୍ରକଳ୍ପର ସମୀକ୍ଷା କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଭକ୍ତଙ୍କ ସୁବିଧା ଓ ଏକାମ୍ରକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ କିପରି ସୃଷ୍ଟି କରାଯାଇପାରିବ, ପରିକ୍ରମା କରିଡରରେ ଉଦ୍ୟାନ ଓ ପଥର କାରୁକାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ନୂଆବର୍ଷ ଅର୍ଥାତ୍ ୨୦୨୫ ସୁଦ୍ଧା ଏହି ପ୍ରକଳ୍ପର କାର୍ଯ୍ୟ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। କାମରେ ଯେତେ ବାଧାବିଘ୍ନ ଆସିଲେ ସୁଦ୍ଧା ଧାର୍ଯ୍ୟ ସମୟ ପୂର୍ବରୁ ପ୍ରକଳ୍ପର କାମ ଶେଷ କରିବାକୁ ପ୍ରକଳ୍ପ ଅଧିକାରୀଙ୍କୁ ଉତ୍ସାହିତ କରିଛନ୍ତି ୫-ଟି ଅଧ୍ୟକ୍ଷ।
ସାନିଟାରିୟମ ଛକ ନିକଟ ଉତ୍ତର ପାର୍କିଂଠାରୁ ଆରମ୍ଭ କରି ସମସ୍ତ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ବସ୍ ପାର୍କିଂ, କାର୍ ପାର୍କିଂ ବ୍ୟତୀତ ପର୍ଯ୍ୟଟନ ସୁବିଧା, ଭେଣ୍ଡିଂ ଜୋନ୍ ଏବଂ ଲିଙ୍ଗରାଜ ପୋଲିସ୍ ଷ୍ଟେସନ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମନ୍ଦିର ପାଶ୍ୱର୍ରେ ଥିବା ଦୋକାନୀ ଏବଂ ବିକ୍ରେତାଙ୍କ ପୁନର୍ବାସ ଉପରେ ଧ୍ୟାନ ଦେଇ ସେ କହିଛନ୍ତି ସମସ୍ତ ଉପାୟରେ ସେମାନଙ୍କ ଜୀବିକା ନିଶ୍ଚିତ ହେବା ଆବଶ୍ୟକ।
ଏହାପରେ ସମାନ୍ତରାଳ ଭାବେ କୋଟିତୀର୍ଥେଶ୍ୱରରୁ ବିନ୍ଦୁସାଗର ଯାଏଁ ହେବାକୁ ଥିବା ବିକଳ୍ପ ରାସ୍ତା ବୁଲି ଦେଖିଥିଲେ। ଏଥିପାଇଁ ଜମି ଅଧିଗ୍ରହଣ ଓ ଡ୍ରେନ ନିର୍ମାଣ ନେଇ ଅଧରକାରୀଙ୍କ ସହ ଆଲୋଚନା କରିଥିଲେ ୫-ଟି ଅଧ୍ୟକ୍ଷ। ଡ୍ରେନ ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇ ଦେବାକୁ ବିଏମସିକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅନନ୍ତ ବାସୁଦେବ ମନ୍ଦିର ପଛପଟେ ଥିବା ଭଜନ ମଣ୍ଡପ, ଓ ଲିଙ୍ଗରାଜ ପ୍ଲାଜା ମଧ୍ୟ ବୁଲି ଦେଖିଥିଲେ। ଶିବରାତ୍ରି ବେଳେ ଯେପରି କୌଣସି ଟ୍ରାଫିକ ସମସ୍ୟା ନ ସୃଷ୍ଟି ହୁଏ ସେଥିପାଇଁ ମୂଳଢାଂଚାରେ କୌଣସି ପରିବର୍ତ୍ତନ ନକରି ଧାଡ଼ି ପରିଚାଳନା କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି। ଏକାମ୍ର ପରିସରରେ ଆଧୁନିକ ଉପାୟରେ ଟ୍ରାଫିକ ପରିଚାଳନାକୁ ଫୋକସ୍ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ସ୍ୱଚ୍ଛ ପରିବେଶ ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି ବ୍ୟବହାର କରିବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ସେ ଦକ୍ଷିଣ ପାଶ୍ୱର୍ ପରିକ୍ରମା ଓ ବଢେ଼ଇବାଙ୍କରେ ହେବାକୁ ଥିବା ବିକଳ୍ପ ବାଇପାସ୍ ରାସ୍ତାର ବୁଲି ଅନୁଧ୍ୟାନ କରିଥିଲେ।