ସମ୍ବିତ ପାତ୍ରଙ୍କ ଫଟୋ ରାଜ୍ୟରେ ଉଜ୍ଜଳା ଯୋଜନାର ଖୋଲିଲା ପୋଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ସାଧାରଣ ନିର୍ବାଚନରେ ଜିତିବା ପାଇଁ ପ୍ରାର୍ଥୀମାନେ ସବୁପ୍ରକାର ପ୍ରୟାସ ଜାରି ରଖିଛନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଲୋକସଭାର ବିଜେପି ପ୍ରାର୍ଥୀ ଡା ସମ୍ବିତ ପାତ୍ର ଙ୍କ ଦ୍ଵାରା ପୋଷ୍ଟ ହୋଇଥିବା ଏକ ଫଟୋରୁ । ଯାହାକି କେନ୍ଦ୍ରସରକାର ଙ୍କ ଉଜ୍ବଳା ଯୋଜନାର ସବୁ ପୋଲ ଖୋଲି ଦେଇଛି । ରାଜ୍ୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଉଜ୍ବଳା ଯୋଜନାର ଡିମଣ୍ଡିମ ପିଟୁଛନ୍ତି କି ଗରିବଙ୍କୁ ଆଉ ଧୂଆଁ କଷ୍ଟ ଭୋଗିବାକୁ ପଡ଼ିବନି । ସମସ୍ତଙ୍କୁ ଆମେ ଉଜ୍ବଳା ଯୋଜନାରେ ସାମିଲ କରିଛୁ । ଆଜି ଘରେ ଘରେ ଗ୍ୟାସ ଜଳୁଛି । ଯାହାକି ମିଥ୍ୟା ପ୍ରମାଣିତ କରିଛି ସମ୍ବିତଙ୍କ ପୋଷ୍ଟ ଫଟୋ ।
ସୂଚନା ଅନୁଯାୟୀ, ନିର୍ବାଚନୀ ପ୍ରଚାର ପାଇଁ ସେ ବିଜେପି କର୍ମୀଙ୍କ ସହ ବିଭିନ୍ନ ସ୍ଥାନ ଭ୍ରମଣ କରିବା ସହ ଫଟୋ ମଧ୍ୟ ପୋଷ୍ଟ କରୁଛନ୍ତି । ଏହିପରି ଏକ ଫଟୋ ମୋଦି ସରକାରଙ୍କ ସବୁଠାରୁ ବଡ ଯୋଜନା ର ପୋଲ ଖୋଲିଛି । ଏହି ଫଟୋରେ ଜଣେ ଗରିବଙ୍କ ଘରେ ଡ଼ା ସମ୍ବିତ ପାତ୍ର ଭୋଜନ କରୁଛନ୍ତି । ମହିଳା ଜଣଙ୍କର ସ୍ୱାମୀ ନାହାନ୍ତି ତିନୋଟି ଝିଅ ଯାହାଙ୍କ ମଧ୍ୟରୁ ଦୁଇ ଜଣ ଦିବ୍ୟାଙ୍ଗ ଓ ପୁଅ ମୂଲିଆ କାମ କରି ପରିବାର ଭରଣ ପୋଷଣ କରୁଛି । ଏହି ପୋଷ୍ଟ ମାଧ୍ୟମରେ ଡା ପାତ୍ର ଏହା ଜଣାଇବାକୁ ଚାହୁଁଛନ୍ତି କି ଉକ୍ତ ମହିଳାଙ୍କ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ହୋଇଛି । ମାତ୍ର ଏହି ଫଟୋ ନିଜ ଟ୍ୱିଟରେ ପୋଷ୍ଟ କରିବା ସମୟରେ ତାଙ୍କର ଧ୍ୟାନ ରହିନାହିଁ କି ସେ ଭୋଜନ କରୁଥିବା ଖାଦ୍ୟ ମହିଳା ଜଣକ ଚୁଲିରେ ପ୍ରସ୍ତୁତ କରିଛନ୍ତି ନା କି ଗ୍ୟାସ ସିଲିଣ୍ଡରରେ । ଏହି ଫଟୋ ଓଡ଼ିଶାରେ ଉଜ୍ବଳା ଯୋଜନାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଜେପିର କେନ୍ଦ୍ରୀୟ ମୁଖପାତ୍ର ଡା ସମ୍ବିତ ପାତ୍ର ପୁରୀରୁ ଲୋକସଭା ନିର୍ବାଚନ ପାଇଁ ବିଜେପିରୁ ପ୍ରାର୍ଥୀ ହେବା ଦିନରୁ ଚର୍ଚ୍ଚାରେ ରହିଆସିଛନ୍ତି । କେତେବେଳେ ବିନା ଅନୁମତିରେ ଉତ୍ତରା ରୁ ପୁରୀ ରାଲି ହେଉ ବା ଜଗନ୍ନାଥଙ୍କ ମୂର୍ତ୍ତି ଧରି ନାମାଙ୍କନ ଦାଖିଲ ହେଉ ବା ପ୍ରଥମ ଦିନରୁ ଧାର୍ମିକ ରାଜନୀତି କାର୍ଡ ହେଉ ଏହିପରି ଭାବରେ ଚର୍ଚ୍ଚା ରେ ରହି ଆସିଛନ୍ତି । ମାତ୍ର ଏଥର ସେ ନିଜେ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନା ଗୋଡ଼ରେ କୁରାଢ଼ୀ ମାରିଛନ୍ତି ନିଜ ଟ୍ୱିଟରେ ଫଟୋ ପୋଷ୍ଟ କରି ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖିଛନ୍ତି ।