ବିଜେପିର ଦିଲ୍ଲୀ ଗସ୍ତକୁ ନେଇ ରାଜନୀତି; ଜବାବ ରଖିଲା ବିଜେଡି, କଟାକ୍ଷ କଲା କଂଗ୍ରେସ
ବିଜେଡି ସରକାର ବିରୋଧରେ ରାଜ୍ୟ ବିଜେପିର ‘ଯୁଦ୍ଧଂ ଦେହୀ’ ଡାକରା । ୧୯ରେ ଦିଲ୍ଲୀ ଯାଉଛନ୍ତି ବିଜେପିର ୨୨ ବିଧାୟକ । ଓଡ଼ିଶାରେ ସରକାର ଗଠନ କରି କ୍ଷମତା ଦଖଲ କରିବାକୁ ଦିଲ୍ଲୀ ଦରବାରରେ ହେବ ଗୁପ୍ତ ମନ୍ତ୍ରଣା । ବିଜେପି ଚାଣକ୍ୟଙ୍କ ସହ ହେବ ରୁଦ୍ଧ ଦ୍ୱାର ବୈଠକ । କେନ୍ଦ୍ର ନେତୃତ୍ବକୁ ଭେଟିବାକୁ ବିଧାୟକମାନେ ଦିଲ୍ଲୀ ଯିବେ ବୋଲି ସୂଚନା ମିଳିଛି । ଯାହାକୁ ନେଇ ଜୋର ଧରିଛି ରାଜନୀତି ।
ବିଜେପି ଟିମର ଏଭଳି ଯୋଜନାକୁ ନେଇ ଜବାବ ରଖିଛି ବିଜେଡି । ବିଧାୟକ ଅମର ଶତପଥି କହିଛନ୍ତି ଓଡିଶାରେ କେନ୍ଦ୍ରୀୟ ଯୋଜନା ଭଲ ଭାବେ କାର୍ଯ୍ୟକାରୀ ହେଉଛି ବୋଲି ନିଜେ କେନ୍ଦ୍ର ସରକାର କହିଛନ୍ତି। କେନ୍ଦ୍ର ସରକାର ସମୀକ୍ଷା କରି ବହୁବାର ରାଜ୍ୟସରକାରଙ୍କୁ ପ୍ରଂଶସା ମଧ୍ୟ କରିଛନ୍ତି । ବିଜେପି ବିଧାୟକଙ୍କ ଦିଲ୍ଲୀ ଗସ୍ତ ଆଉ ଏ ଅଭିଯୋଗ ନିର୍ବାଚନ ବର୍ଷରେ ସ୍ଵାଭାବିକ କାର୍ଯ୍ୟକ୍ରମ। ଏହାର କୌଣସି ପ୍ରଭାବ ପଡିବନି । ସେପଟେ ଦୁଇ ଦଳର ଆରୋପ ପ୍ରତ୍ୟାରୋପକୁ ଦେଖି କଂଗ୍ରେସ କରିଛି କଟାକ୍ଷ । କହିଛି ରାଜ୍ୟରେ ବିଜେପି-ବିଜେଡି ଏକ୍ । କେମିତି ଉଭୟ ମିଶି ରାଜ୍ୟରେ ପୁଣି ନିର୍ବାଚନ ଲଢିବେ ସେଥିପାଇଁ ଦିଲ୍ଲୀ ଯାଉଛନ୍ତି । କଂଗ୍ରେସ ଉପରେ ମଧ୍ୟ ଏହାର ପ୍ରଭାବ ପଡିବନି ।
ସାଧାରଣ ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଛି । ରାଜ୍ୟରେ କ୍ଷମତା ହାତେଇବା ଲାଗି ରାଜନୈତିକ ଦଳମାନେ ସେମାନଙ୍କ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି । ନିକଟରେ ୩ଟି ବଡ଼ ରାଜ୍ୟରେ ବିଜେପିର ବୃହତ ବିଜୟ ପରେ ଓଡ଼ିଶାର ବିଧାୟକ ଓ ସାଂସଦଙ୍କ ଦଳୀୟ ନେତୃବର୍ଗଙ୍କୁ ସାକ୍ଷାତ ଆଲୋଚନା ରାଜନୈତିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।