ଆଜିଠୁ ବଦଳୁଛି ଏହିସବୁ ନିୟମ, ଯାହା ସିଧାସଳଖ ପଡିବ ଖାଉଟିଙ୍କ ଉପରେ…

0

ଆଜିଠୁ ଅଗଷ୍ଟ ମାସ ଆରମ୍ଭ । ତେବେ ମାସ ପହିଲା ବା ପ୍ରଥମ ଦିନରୁ ମଧ୍ୟ ଅନେକ ବଡ ପରିବର୍ତ୍ତନ ଦେଶରେ ହେବାକୁ ଯାଉଛି। ଯାହା ଦେଶର ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ। କ୍ରେଡିଟ୍ କାର୍ଡ ଏବଂ ଆୟକର ରିଟର୍ଣ୍ଣ ଫାଇଲ୍ ସହିତ ଏଲପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ହେବ ପରିବର୍ତ୍ତନ। ଏପରି ପରିସ୍ଥିତିରେ, ଏହି ପରିବର୍ତ୍ତନଗୁଡ଼ିକ ବିଷୟରେ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଏଲପିଜି ସିଲିଣ୍ଡର ମୁଲ୍ୟରେ ପରିବର୍ତ୍ତନ:

ସର୍ବପ୍ରଥମେ, ଆସନ୍ତୁ ଘରୋଇ ରନ୍ଧନ ଗ୍ୟାସ୍ ସହିତ ଜଡିତ ପରିବର୍ତ୍ତନଗୁଡ଼ିକ ବିଷୟରେ ଆଲୋଚନା କରିବା। ସୂଚନାଥାଉକି, ପ୍ରତ୍ୟେକ ମାସର ୧ ଏବଂ ୧୬ ତାରିଖ ଦିନ ତୈଳ ଏବଂ ଗ୍ୟାସ୍ ବିତରଣ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ସଂଶୋଧନ କରନ୍ତି। ଏପରି ସ୍ଥଳେ ଆସନ୍ତାକାଲି ମଧ୍ୟ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିବ। ୧ ଜୁଲାଇ ୨୦୨୩ ରେ, ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା, ଅର୍ଥାତ ଉଭୟ ଘରୋଇ ଏବଂ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ସ୍ଥିର ରଖାଯାଇଥିଲା। କିନ୍ତୁ ତିନି ଦିନ ପରେ ଅର୍ଥାତ୍‌ ୪ ଜୁଲାଇ ୨୦୨୩ରେ, ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରି ଲୋକଙ୍କୁ ଏକ ବଡ଼ ଝଟ୍‌କା ଦେଇଥିଲେ। ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ୭ ଟଙ୍କା ବୃଦ୍ଧି କରାଯାଇଛି। କିନ୍ତୁ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଆଇଟିଆର ଫାଇଲ କଲେ ଲାଗିବ ଜରିମାନା:

୨୦୨୨-୨୩ ପାଇଁ ଆଇଟିଆର ଦାଖଲ କରିବାର ଶେଷ ତାରିଖ ଥିଲା ଆଜି ଅର୍ଥାତ୍ ୩୧ ଜୁଲାଇ ୨୦୨୩। ଅବଶ୍ୟ, ଏହି ସମୟସୀମା ସେହି ଟିକସଦାତାମାନଙ୍କ ପାଇଁ, ଯେଉଁମାନଙ୍କ ଆକାଉଣ୍ଟକୁ ଅଡିଟ୍ କରିବାକୁ ପଡିବ ନାହିଁ। ତେବେ ଅନ୍ୟମାନେ ଅଗଷ୍ଟ ୧ ଠାରୁ ଆଇଟିଆର ଦାଖଲ କଲେ ସେମାନଙ୍କୁ ଜରିମାନା ଦେବାକୁ ପଡିବ। ସୂଚନାଯୋଗ୍ୟ ଯେ, ବାର୍ଷିକ ଆୟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସଦାତାଙ୍କୁ ୧୦୦୦ ଟଙ୍କା ବିଳମ୍ବ ଶୁଳ୍କ ଆଦାୟ କରିବାର ବ୍ୟବସ୍ଥା କରାଯାଇଥିବାବେଳେ ବାର୍ଷିକ ଆୟ ୫ ଲକ୍ଷରୁ ଅଧିକ ଥିଲେ ବିଳମ୍ବରେ ଆଇଟିଆର ଦାଖଲ ପାଇଁ ୫୦୦୦ ଟଙ୍କା ବିଳମ୍ବ ଶୁଳ୍କ ଦେବାକୁ ପଡ଼ିବ। ଅନ୍ୟପକ୍ଷରେ ଯଦି କୌଣସି କରଦାତା ଆୟକର ରିଟର୍ଣ୍ଣ ୩୧ ଡିସେମ୍ବର ୨୦୨୩ ତାରିଖ ପରେ ଦାଖଲ କରନ୍ତି, ତେବେ ତାଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ।

ଆକ୍ସିସ୍‌ ବ୍ୟାଙ୍କ କ୍ରେଡିଟ୍‌ କାର୍ଡ ବ୍ୟବହାରକାରୀଙ୍କୁ ଝଟ୍‌କା:

ଯଦି ଆପଣ ଏକ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ବ୍ୟବହାରକାରୀ, ତେବେ ୧ ଅଗଷ୍ଟ ୨୦୨୩ରୁ ଆପଣଙ୍କୁ ଝଟ୍‌କା ଲାଗିବାକୁ ଯାଉଛି। ବ୍ୟାଙ୍କ କ୍ରେଡିଟ କାର୍ଡ କ୍ୟାସବ୍ୟାକ୍ ଏବଂ ଇନ୍‌ସେନ୍‌ଟିଭ୍‌ ପଏଣ୍ଟ ହ୍ରାସ କରିବାକୁ ଯାଉଛି। ବର୍ତ୍ତମାନ ଏଥିରେ କେବଳ ୧.୫ ପ୍ରତିଶତ କ୍ୟାସବ୍ୟାକ୍ ଉପଲବ୍ଧ ହେବ। ସୂଚନାଥାଉକି, ଆକ୍ସିସ୍ ବ୍ୟାଙ୍କ, ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଏହି ପରିବର୍ତ୍ତନ କରିବାକୁ ଯାଉଛି, ଯାହା ଅଗଷ୍ଟ ୧୨ରୁ କାର୍ଯ୍ୟକାରୀ ହେବ। ଆକ୍ସିସ୍ ବ୍ୟାଙ୍କ ଏବଂ ଫ୍ଲିପକାର୍ଟରୁ କିଣୁଥିବା ଲୋକମାନେ ଏହି ତାରିଖରୁ ସପିଂରେ କମ୍ କ୍ୟାସବ୍ୟାକ୍ ପାଇବେ।

Leave a comment