ମାଲକାନଗିରିରେ ବନ୍ୟା ସ୍ଥିତି,ପୋଲ ଉପରେ ୫ ଫୁଟର ପାଣି ପ୍ରବାହିତ

0

ମାଲକାନଗିରିରେ ବନ୍ୟା ସ୍ଥିତି। ଲଗାଣ ବର୍ଷାରେ ବେହାଲ ସମଗ୍ର ମାଲକାନଗିରି ଜିଲ୍ଲା । ମାଲକାନଗିରି ଠାରୁ ବାଲିମେଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଏମଭି ୩୭ ପୋଲ ଉପରେ ୫ ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ ପୋଟେରୁ ପୋଲ ଉପରେ ୩ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ସେହିପରି କାଙ୍କୁରୁକୋଣ୍ଡା ପୋଲ ଉପରେ ମଧ୍ୟ ୫ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି ।

ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଠାରୁ ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ସବୁଠି ପୋଲର ଉଭୟ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଛି । ବନ୍ୟା ପାଣି ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶତାଧିକ ଯାତ୍ରୀ । ପାହାଡିଆ ପାଣି ମାଲକାନଗିରି ସହର ମଧ୍ୟକୁ ପ୍ରବେଶ କରିବା ଦ୍ୱାରା ସହରର ନେତାଜୀ ନଗର, ମାଲ୍ୟବନ୍ତ କଲୋନୀ, ବୁଟିଗୁଡା ଓ ବସଷ୍ଟାଣ୍ଡ ସାହି ଜଳମଗ୍ନ ହୋଇଛି । ଅନେକ ଲୋକଙ୍କ ଘରେ ବର୍ଷା ପାଣି ପଶି ଯାଇଛି ।

ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ମାଲକାନଗିରି ଜିଲ୍ଲାରେ ବନ୍ୟା ହେବାର ଆଶଙ୍କା ରହିଛି । ତଳିଆ ଅଞ୍ଚଳର ଲୋକଙ୍କୁ ବନ୍ୟା ଆଶ୍ରୟ ସ୍ଥଳକୁ ଯିବା ଲାଗି ଜିଲ୍ଲା ପ୍ରଶାସନ ତରଫରୁ ଆଗୁଆ ସୁଚନା ଦିଆଯାଇଛି । ପରିସ୍ଥିତି ଉପରେ ନଜର ରଖିଛନ୍ତି ସମସ୍ତ ବିଡିଓ ତହସିଲଦାର ।

Leave a comment