ଷଠୀଘର ଟ୍ରକ୍ ଦୁର୍ଘଟଣା ଘଟଣା; ଶୋକ ପ୍ରକାଶ ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ମଙ୍ଗଳବାର ରାତିରେ କେନ୍ଦୁଝର ଜିଲ୍ଲା ଷଠୀଘର ଠାରେ ହୋଇଥିବା ଟ୍ରକ୍ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ନବୀନ। ଏହା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ପ୍ରକାଶ ଥାଉକି, କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଜୁଡିଆ ଘାଟି ଷଠୀଘର ନିକଟରେ ମଙ୍ଗଳବାର ରାତି ୨ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ଷଠୀଘର ସାହି ନିକଟରେ ବିବାହ ଶୋଭାଯାତ୍ରା ଚାଲିଥିଲା । ହରିଚନ୍ଦନପୁର ବ୍ଲକ୍‌ ଜଙ୍ଘିରା ନିକଟସ୍ଥ ମାନପୁର ଗ୍ରାମରୁ ଏକ ବରଯାତ୍ରୀ ଦଳ କେନ୍ଦୁଝର ଆସିଥିଲେ । ଷଠୀଘର ସାହିରେ କନ୍ୟାଘର ସମ୍ମୁଖରେ ବରଯାତ୍ରୀ ଦଳ ପହଞ୍ଚିଥିଲେ । ଡିଜେର ତାଳେ ତାଳେ ମସଗୁଲ୍‌ ବରଯାତ୍ରୀମାନେ ନାଚୁଥିଲେ । ଏହି ସମୟରେ ଶୁଆକାଟୀ ପଟୁ ହଠାତ୍‌ ଏକ ଟ୍ରକ୍‌ ଦ୍ରୁତବେଗରେ ଆସି ବରଯାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା । ଫଳରେ ୫ ଜଣ ଦୁର୍ଘଟଣାସ୍ଥଳରେ ପ୍ରାଣ ହରାଇବା ସହ ଅନ୍ୟ ୯ ଜଣ ଗୁରୁତର ଆହତ ହୋଇଥିଲେ ।

Leave a comment