କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ୩ ମନ୍ତ୍ରୀ
ରାଜ୍ୟର ନୂଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲ ୩ ମନ୍ତ୍ରୀ। ବିଜେଡିର ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ ଓ ସାରଦା ପ୍ରସାଦ ନାୟକ ଓ ସୁଦାମ ମାରାଣ୍ଡିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ। ଲୋକସେବା ଭବନ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା ଓ ଶାସକ ଦଳ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।
ଶ୍ରୀ ଆରୁଖ ୧୯୯୫ ମସିହାରୁ ଭଞ୍ଜନଗର ବିଧାନସଭା ଆସନରୁ ଲଗାତର ବିଧାୟକ ଭାବେ ଜିତି ଆସୁଛନ୍ତି । ଥରେ ଜନତା ଦଳରୁ ଜିତିଥିବା ବେଳେ ଅନ୍ୟ ୫ ଥର ବିଜେଡି ଟିକେଟରେ ଜିତିଥିଲେ । ସେ ୨୦୦୮ରୁ ୨୦୦୯ ପର୍ଯ୍ୟନ୍ତ ସରକାରୀ ଦଳ ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇଥିଲେ । ଗ୍ରାମ୍ୟ ଉନ୍ନୟନ, ଆଇନ, ସମବାୟ, ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ୨୦୨୨ ଜୁନ୍ ୧୩ ତାରିଖରୁ ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ ସେ ବାଚସ୍ପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ବାଚସ୍ପତି ପଦରୁ ଇସ୍ତଫା ଦେଇ ଏବେ ପୁଣି ଥରେ ମନ୍ତ୍ରିମଣ୍ଡଳକୁ ଫେରୁଛନ୍ତି ବିକ୍ରମ ।
ସୁଦାମ ମାରାଣ୍ଡିଙ୍କ ମୟୂରଭଞ୍ଜ ଜିଲ୍ଲାରେ ସାଙ୍ଗଠନିକ ଦକ୍ଷତା ଥିବା ବେଳେ ଆଦିବାସୀ ସମ୍ପ୍ରଦାୟ ଭିତରେ ପ୍ରଭାବ ରହିଛି । ବିଭିନ୍ନ ସମୟରେ ସ୍ୱାଧୀନ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଓ ବିଜେଡିରୁ ଜିତି ଦକ୍ଷତା ପ୍ରମାଣିତ କରିଛନ୍ତି । କ୍ରୀଡ଼ା ଓ ଯୁବବ୍ୟାପାର, ଅନୁସୂଚିତ ଜାତି ଓ ଜନଜାତି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ହୋଇଥିଲେ ।
ସାରଦା ନାୟକ ବିଜେଡିର ଝାରସୁଗୁଡ଼ା ଉପନିର୍ବାଚନ ପରିଚାଳନାର ମୁଖ୍ୟ ପୁରୋଧା ଥିଲେ । ତାଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିବା ସହିତ ବିଜେପିକୁ ଚେକ୍ ଦେଇପାରିଛି । ସେ ପୂର୍ବରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଗୃହ ଓ ନଗର ଉନ୍ନୟନ ଓ ଅବକାରୀ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ସାରଦାଙ୍କୁ ମନ୍ତ୍ରୀ କରି ବିଜେପି ଗଡ଼ କୁହାଯାଉଥିବା ସୁନ୍ଦରଗଡ଼ ସମେତ ପଶ୍ଚିମ ଓଡ଼ିଶାରେ ବିଜେଡି ମଜଭୁତ ହେବ ବୋଲି ଆଶା କରାଯାଉଛି ।