ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ୮ରେ ଲଘୁଚାପ, ୯ରେ ଅବପାତର ରୂପ ନେବ

0

ଦକ୍ଷିଣ-ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୮ ତାରିଖ ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି । ୯ତାରିଖ ବେଳକୁ ଲଘୁଚାପଟି ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ ବା ବାତ୍ୟା ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ଆଇଏମଡି ।

ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ସ୍ପଷ୍ଟ ଚିତ୍ର ଆସିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

ଭାରତୀୟ ପାଣିପାଗ ବିଭାଗ ଯେଉଁ ଆକଳନ କରୁଥିଲା, ସେହି ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ତେଣୁ ବାତ୍ୟା ନେଇ ଯେଉଁ ଆଶଙ୍କା ରହିଥିଲା, ସମୁଦ୍ର ଭିତରର ସ୍ଥିତି ଅନୁକୂଳ ଥିବାରୁ ତା’ର ସମ୍ଭାବନା ବଢ଼ିଯାଇଛି । ୮ତାରିଖ ସକାଳ ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ୯ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଏହା ଅବପାତର ରୂପ ନେଇପାରେ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବା ସହ ଉତ୍ତର ଦିଗକୁ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ବା ବାତ୍ୟା ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ଆଇଏମଡି ।

ଯଦିଓ ବିଭିନ୍ନ ମଡେଲ ଆକଳନ କରୁଛି ଯେ, ଏହା ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ରୂପ ନେଇପାରେ । କିନ୍ତୁ ଏ ନେଇ କୌଣସି ପୂର୍ବାନୁମାନ କରିନାହିଁ ଭାରତୀୟ ପାଣିପାଗ ବିଭାଗ । ଏହା ଉପରେ ତୀକ୍ଷଣ ନଜର ରଖାଯାଇଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟାର ଗତିପଥ ଓ ତୀବ୍ରତା ସଂପର୍କରେ ସ୍ପଷ୍ଟ ଚିତ୍ର ଆସିବ । ଆଣ୍ଡାମାନ-ନିକୋବର ଅଞ୍ଚଳରେ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କୁ ସତର୍କ କରାଯାଇଛି କିନ୍ତୁ ଓଡ଼ିଶା ପାଇଁ ଏଯାଏଁ କୌଣସି ସତର୍କ ସୂଚନା ଜାରି କରିନାହିଁ ପାଣିପାଗ ବିଭାଗ ।

ଓଡ଼ିଶାରେ କ’ଣ ପ୍ରଭାବ ପଡିବ, ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଉପକୂଳବାସୀଙ୍କ ମନରେ କିନ୍ତୁ ଛନକା ପଶିଛି । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଅଧା ପାଚିଲା ଧାନକୁ ତରତରରେ ଚାଷୀ କାଟି ନେଉଥିବା ଦେଖିବାକୁ ମିଳିଛି । ବାଲେଶ୍ୱର ବସ୍ତା ଅଞ୍ଚଳରେ ଏଥର ଭଲ ଫସଲ ହୋଇଥିଲା । ଅମଳ ପାଇଁ ଉପଯୁକ୍ତ ନହେଲେ ବି ପ୍ରାକୃତିକ ବିପର୍ଯ୍ୟୟ ଆଶଙ୍କାରେ ଭୟଭୀତ ହୋଇପଡ଼ିଛି ଚାଷୀ । ଭଲ ଭାବେ ଧାନ ପାଚିବା ପାଇଁ ଆହୁରି ୧୫ ଦିନ ଲାଗିଥାନ୍ତା । କାଳେ ସମ୍ପୂର୍ଣ୍ଣ କ୍ଷତି ହୋଇଯିବ, ଏହି ଆଶଙ୍କା ଘାରିଛି ଚାଷୀଙ୍କୁ । ଯାହା କିଛି ମିଳିବ, ସେହି ଆଶା ନେଇ କିଏ ମେସିନରେ ତ କିଏ ପରିବାର ଲୋକଙ୍କୁ ଲଗାଇ ଧାନ କାଟି ନେଉଛି ।

ବିଭିନ୍ନ ମଡେଲର ଆକଳନ ଅନୁସାରେ ବାତ୍ୟା ବାଂଲାଦେଶ ଓ ମିଆଁମାର ମୁହାଁ ହୋଇପାରେ । ତେବେ ମେ’ ମାସରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆସୁଥିବା ଖବର ଓଡ଼ିଶା ଉପକୂଳବାସୀଙ୍କ ମନରେ ଭୟସଞ୍ଚାର କରିଛି ।

Leave a comment