ଡ଼ଟ ଫେଷ୍ଟରେ ତଣ୍ଟିଆ ପରେ ଧାରଣାରେ ବସିଲେ କର୍ପୋରେଟର

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡ଼ଟ ଫେଷ୍ଟ ର ପିଛା ଛାଡ଼ୁନି ବିବାଦ । ଯେତେ ସଜାଡ଼ିବାକୁ ଚେଷ୍ଟା କଲେ ମଧ୍ୟ ପରିସ୍ଥିତି ବିଗୁଡୁଛି ସିନା ସମାଧାନ ହେବାର ନା ନେଉନାହିଁ । ମେୟର ଏକପ୍ରକାର ଲାଚାର ହେବା ପରି ମନେହେଉଛି । ଡ଼ଟ ଫେଷ୍ଟରେ ଚାଲିଛି ଅଫିସର ଏବଂ ବାବୁଙ୍କ ରାଜୁତି । କେବଳ ସେତିକି ନୁହେଁ ସେମାନଙ୍କ ପରିବାର , ଛୁଆଙ୍କ ସାଙ୍ଗସାଥୀ ଏବଂ ତାଙ୍କ ଘରେ କାର୍ଯ୍ୟରତ କର୍ମଚାରୀଙ୍କ ଦବଦବା ବେଶ ପରିଲକ୍ଷିତ ହେଉଛି ଏହି କାର୍ଯ୍ୟକ୍ରମରେ ।
ଗୋଟେ ପଟେ କର୍ପୋରେଟଙ୍କୁ ମେୟର ଅନୁରୋଧ କରିଛନ୍ତି ଲୋକ ଆଣି ସିଟ ଭର୍ତ୍ତି କର । ଅପରପକ୍ଷରେ କର୍ପୋରେଟରଙ୍କୁ ତଣ୍ଟିଆ ମାରୁଛନ୍ତି ସିକୁରିଟି । ଏହାକୁ ବିରୋଧ କରି ଧାରଣାରେ ବସିଲେ କର୍ପୋରେଟ । ମେୟରଙ୍କ ହସ୍ତକ୍ଷେପ ଏବଂ ବୁଝାସୁଝା ପରେ ଧରଣରୁ ଉଠିଲେ କର୍ପୋରେଟ । କର୍ପୋରେଟରଙ୍କୁ ତଣ୍ଟିଆ ମାରିବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରି ଡ଼ଟ ଫେଷ୍ଟରୁ ରାଗି ମେୟର ଚାଲିଯିବାକୁ ବାହାରିଥିଲେ । ମାତ୍ର ତାଙ୍କୁ ବୁଝାସୁଝା କରି ଅଟକାଯାଇଥିଲା । ସବୁଠାରୁ ଦୁଃଖଦ ଘଟଣା ହେଲା ଏହି କାର୍ଯ୍ୟକ୍ରମରେ ପ୍ରତେକ ଦିନ ବିଡ଼ିଏ ଚେୟାରମ୍ୟାନ ବଲବନ୍ତ ସିଂହ ଉପସ୍ଥିତ ରହୁଛନ୍ତି । ମାତ୍ର ତାଙ୍କ ସମ୍ମୁଖରେ ଅନେକ ସମ୍ମାନୀୟ ବ୍ୟକ୍ତିଙ୍କୁ ବସିଥିବା ସ୍ଥାନରୁ ସିକୁରିଟି ଅଭଦ୍ରାମି କରି ଉଠାଉଥିଲେ ମଧ୍ୟ ସବୁଦେଖି ସେ ଚୁପ ରହୁଛନ୍ତି । ବିଏମସି କୁ ମାତ ଦେଇ ଏହି ଫେଷ୍ଟ ଶ୍ରେୟ ବିଡିଏ ନେବାକୁ ପୁରା ତତ୍ପର ।
ସୂଚନା ଅନୁଯାୟୀ, ଗତକାଲି ଜଣେ ବରିଷ୍ଠ କର୍ପୋରେଟର ଙ୍କୁ ଡ଼ଟ ଫେଷ୍ଟରେ ଜଣେ ସିକୁରିଟି ଗାର୍ଡ ତଣ୍ଟିଆ ମାରିବା ପରେ ଧାରଣାରେ ବସିଲେ ଅନେକ କର୍ପୋରେଟର । ଏପରିକି କାର୍ଯ୍ୟକ୍ରମ ଚାଲୁଥିବା ଅଞ୍ଚଳର କର୍ପୋରେଟଙ୍କୁ ମଧ୍ୟ ଅଣଦେଖା କରାଯାଉଥିବା ଅଭିଯୋଗ ମଧ୍ୟ ହେଉଛି । କେବଳ ସମ୍ମାନ ଦିଆଯାଉଛି ତ ଅଫିସର ଏବଂ ତାଙ୍କ ପରିବାରକୁ । ଏହାର ପ୍ରତିବାଦ କରି କିଛି କର୍ପୋରେଟ ଧାରଣାରେ ବସିଥିଲେ । ମେୟରଙ୍କ ଅନୁରୋଧ କ୍ରମେ ଧରଣରୁ କର୍ପୋରେଟ ମନେ ଉଠିଥିଲେ । ଅପରପକ୍ଷରେ କର୍ପୋରେଟ ମାନଙ୍କ ଅଭିଯୋଗ ଯେ, ସେମାନଙ୍କୁ ଭଲ ଟିକେଟ ଦିଆଯାଉନାହିଁ । ଯାହା ଦିଆଯାଉଛି ସେଠାରୁ କିଛି ଦେଖାଯାଉନାହିଁ । କାରଣ ବାବୁ , ବାବୁଆଣି ମାନେ ଅଗଧାଡ଼ିର ସିଟରେ ବସୁଛନ୍ତି । କାର୍ଯ୍ୟକ୍ରମ ସମୟରେ ତାଙ୍କ ଛୁଆ ଠିଆ ହୋଇ ନାଚିବାରୁ ପଛରେ ବସିଥିବା ସାଧାରଣ ଲୋକ କାର୍ଯ୍ୟକ୍ରମ ଦେଖିବାରୁ ବଞ୍ଚିତ ହେଉଛନ୍ତି । ସେହିପରି ପ୍ରିମିୟମ ଏବଂ ପ୍ଲାଟିନମ ପାସ ଧାରୀ ବ୍ୟକ୍ତିଙ୍କ କୌଣସି ଚେକିଂ ହେଉନଥିବା ବେଳେ ସାଧାରଣ ଲୋକଙ୍କୁ ଚେକିଂ କରି ନକେଦାମ କରୁଛନ୍ତି । ଏପରିକି ପାଣି ବୋତଲ ଟିଏ ମଧ୍ୟ ନେବାକୁ ଅନୁମତି ଦିଆଯାଉନାହିଁ । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ତୀଵ୍ର ହେବାରେ ଲାଗିଛି ।